ରେମୁଣାରେ ଇମାମୀ-କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ; ମାଗଣାରେ ପାଠ ପଢ଼ିବେ ରାଜ୍ୟର୧୨୦୦ ଗରିବ ପିଲା

0
385
cm-naveen-inagurate-imami-kiss-in-balaswar

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ବର ଜିଲ୍ଲାର ରେମୁଣାସ୍ଥିତ ଅରମଳାଠାରେ ଇମାମୀ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍‌ସ ପକ୍ଷରୁ ନିର୍ମିତ ଏକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ୧୨ ଏକର ଜମିରେ ନିର୍ମିତ ଏହି ସ୍କୁଲ ପାଇଁ ୫୦ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ କିସ୍‌ ପକ୍ଷରୁ ୩୬ କୋଟି ଓ ଇମାମୀ ପକ୍ଷରୁ ୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହିଭଳି ଉଦ୍ୟମ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ। ଇମାମୀ ଓ କିସ୍‌ର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କିସ୍‌ ପକ୍ଷରୁ ଭୁବନେଶ୍ବର, ମୟୁରଭଂଜ ଓ ବଲାଙ୍ଗୀର ଭଳି ଅନେକ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଏହିଭଳି ବିଦ୍ୟାଳୟ ଖୋଲାଯିବାର ଲକ୍ଷ୍ୟ ରହିଥିବା ଖୁସିର କଥା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ପରିବର୍ତ୍ତନ ଆଣିଥାଏ। ଏଥିରେ ୧୨୦୦ ଗରିବ ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି। ୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି । ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ବାଲେଶ୍ବରରେ ଇମାମୀ ଓ କିସ୍‌ର ଉଦ୍ୟମରେ ନବନିର୍ମିତ ସ୍କୁଲ ପାଇଁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ସାଂସଦ ପ୍ରତାପ ଷଡଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ପରିଡା ପ୍ରମୁଖ ବକ୍ତବ୍ୟ ରଖି ଏହାଦ୍ବାରା ବାଲେଶ୍ବରରେ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାରରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ ।

Also Read  Aftermath Of Operation 'SINDOOR'

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

କିଟ୍‌ ଓ କିସ୍‌ର ସଂସ୍ଥାପକ ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇ ଦୁର୍ବଳ ଶ୍ରେଣୀର ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବାଲେଶ୍ବର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।