୧୮୩ କୋଟି ଟଙ୍କାରେ ବିକ୍ରି ହେଲା ଜୁହୁରେ ଥିବା ବି. ଆର୍‌. ଚୋପ୍ରାଙ୍କ ବିରାଟ ବଙ୍ଗଳା

0
390

ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ବଳଦେବରାଜ ଚୋପ୍ରା ଓରଫ୍‌ ବି. ଆର୍‌. ଚୋପ୍ରାଙ୍କର ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ପାରିବାରିକ ଘରକୁ ପ୍ରାୟ ୧୮୩ କୋଟି ଟଙ୍କାରେ ବିକ୍ରୟ କରାଯାଇଥିବା କଥା ‘ଇକୋନୋମିକ୍‌ ଟଇମ୍‌ସ୍‌’ ରିପୋର୍ଟ କରିଛି। ଜୁହୁ ପାଖକୁ ଲାଗଥିବା ପ୍ରାୟ ଏକ ଏକର ଜମିରେ ଅବସ୍ଥିତ ୨୫୦୦୦ ବର୍ଗଫୁଟ୍‌ର ଏହି ପ୍ରକାଣ୍ଡ ଅଟ୍ଟାଳିକାକୁ ପ୍ରସିଦ୍ଧ ରିୟଲ୍‌ ଇଷ୍ଟେଟ୍‌ ଡେଭ୍‌ଲପର୍‌ କେ. ରାହେଜା ଖରିଦ କରିଛନ୍ତି। ସ୍ବର୍ଗତ ବି. ଆର୍‌. ଚୋପ୍ରାଙ୍କ ବୋହୂ ତଥା ରବି ଚୋପ୍ରାଙ୍କ ପତ୍ନୀ ରେଣୁ ଚୋପ୍ରା ଉକ୍ତ ସମ୍ପତ୍ତିକୁ ବିକ୍ରୟ କରିଛନ୍ତି।

‘ଇକୋନୋମିକ୍‌ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ, ଜମି ଓ ଘର ବାବଦକୁ ୧୮୨.୭୬ କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ୍‌ ବାବଦକୁ ବ୍ୟୟ ହୋଇଛି ପ୍ରାୟ ୧୧ ‌କୋଟି ଟଙ୍କା। ପ୍ରାପ୍ତ ସୂଚନା ଅନୁସାରେ, ଖରିଦ କରିଥିବା କେ. ରାହେଜା କର୍ପୋରେସନ୍‌ ସମ୍ଭବତଃ ବିଳାସମୟ ଆବାସିକ ପ୍ରକଳ୍ପ ନିର୍ମାଣ କରିପାରେ।

ସୂଚନାଯୋଗ୍ୟ, ବି. ଆର୍‌. ହାଉସ୍‌ରେ ହିଁ ଚୋପ୍ରାଙ୍କର ଅଧିକାଂଶ ବ୍ୟବସାୟ ଚାଲିଥିଲା। ୨୦୦୮ରେ ହିଁ ସେ ସେହି ଘରେ ଦେହ ତ୍ୟାଗ କରିଥିଲେ। ଶେଷ ପର୍ଯ୍ୟାୟରେ ହତାଶା ଏବଂ କେତେକ ସହ-ପ୍ରଯୋଜନା ବିଫଳ ହେବାରୁ ଚୋପ୍ରାଙ୍କର ପ୍ରଯୋଜନା ସଂସ୍ଥା ଦେବାଳିଆ ହୋଇଯାଇଥିଲା। ତେଣୁ, ବନ୍ଧା ପଡ଼ିଥିବା ବି.ଆର୍‌ ହାଉସ୍‌କୁ ମୁକୁଳାଇବା ପାଇଁ ୨୦୧୩ରେ ଅନେକ ଋଣଦାତାଙ୍କର କରଜ ପରିଶୋଧ କରିଥିଲେ ବୋଲି ତାଙ୍କ ପୁଅ କହିଥିଲେ।

Also Read  ରାଜ୍ୟରେ ଆଉ ରହିବନି କୋଭିଡ କଟକଣା : ୧୫ରୁ ହେବ ସ୍ୱାଭାବିକ