ସିଏମ୍‌ସି ୫୦୦ କୋଟିର ପରିମଳ ଟେଣ୍ଡର୍‌ ବିଳମ୍ବ କାହା ସ୍ବାର୍ଥରେ?

0
146

କଟକ: କଟକ ମହାନଗର ନିଗମ( ସିଏମ୍‌ସି) ପରିମଳ ପରିଚାଳନା ନାମରେ ଚାଲିଥିବା ହରିଲୁଟ୍‌କୁ ନିଗମର ଅଧିକାରୀ କିଭଳି ପ୍ରୋତ୍ସାହିତ କରୁଛନ୍ତି ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଜାଣିଶୁଣି ସିଏମ୍‌ସି ପରିମଳ ଟେଣ୍ଡର୍‌କୁ ଗଲା ୬ ବର୍ଷ ହେବ କରାଇ ଦିଆଯାଉ ନାହିଁ। ୨୦୧୧ରେ ହୋଇଥିବା ଶେଷ ଟେଣ୍ଡର୍‌ ଆଉ ଚୂଡାନ୍ତ ହୋଇପାରୁନାହିଁ। ଫଳରେ ୨୦୧୬ ପରଠାରୁ ବିନା ଟେଣ୍ଡର୍‌ରେ ପରିମଳ କାମ ହେଉଛି। ଏପରିକି ନୂଆ କାଉନ୍‌ସିଲ୍‌ ଗଠନ ହେବା ପରେ ମଧ୍ୟ ଦୀର୍ଘ ୬ ବର୍ଷ ପ‌ରେ ଗତ ଜାନୁଆରି ମାସରେ ହୋଇଥିବା ସିଏମ୍‌ସି ପରିମଳ ଟେଣ୍ଡର୍‌କୁ ଜାଣିଶୁଣି ବିଳମ୍ବ କରାଯାଉଛି।

ଗତ ୬ ମାସ ମଧ୍ୟରେ କେବଳ ଟେକ୍‌ନିକାଲ୍‌ ବିଡ୍‌ ଖୋଲାଯାଇଛି। ଟେକ୍‌ନିକାଲ୍‌ ବିଡ୍ ଖୋଲିବାର ଦୁଇ ମାସ ପରେ ମଧ୍ୟ ଫାଇନାନ୍‌ସିଆଲ୍‌ ବିଡ୍ ଖୋଲାଯାଉ ନାହିଁ। ବିନା ଟେଣ୍ଡର୍‌ରେ ପାଖାପାଖି ୩୦୦ କୋଟି ଟଙ୍କା ସଂସ୍ଥା ହାତକୁ ଟେକି ଦିଆଯାଇଛି। ଏବେ ପୁଣି ଥରେ ଏହି‌ ଟେଣ୍ଡର‌୍‌ରେ ବିଳମ୍ବ କରାଯାଉଛି। ଫାଇନାନ୍‌ସିଆଲ୍‌ ବିଡ୍ ଖୋଲିବା ପାଇଁ ସମୟ ନିଆଯାଉଛି। ଆଇନର ତର୍ଜମା କରାଯାଉଛି। ଫାଇଲ୍‌ ଆଇନ ବିଭାଗକୁ ପଠାଯାଇଛି। ତେବେ ପ୍ରଶ୍ନ ଉଠୁଛି ସିଏମ୍‌ସି କାହାକୁ ଅନୁକଂପା ଦେଖାଇବା ପାଇଁ, କାହା ସ୍ବାର୍ଥ ପାଇଁ ଏଭଳି ପଦକ୍ଷେପ ନେଉଛି?

ସେପଟେ କାମ ଛାଡ଼ିବାକୁ ଚେତାବନୀ ଦେଇଥିବା ବିବିଜି ଏବେ ବାଧ୍ୟବାଧକତା‌ରେ ସିଏମ୍‌ସି ପରିମଳ କାମ ତୁଲାଉଛି। ତଥ୍ୟ ମୁତାବକ, ୨୦୧୧ରେ ସିଏମ୍‌ସି ପରିମଳ କାମ ରାମ୍‌କି ନାମକ ସଂସ୍ଥାକୁ ଦିଆଯାଇଥିଲା। ୫ ବର୍ଷ ପାଇଁ ରାମ୍‌କି ଏହି ଟେଣ୍ଡର୍‌ ପାଇଥିଲା। ୨୦୧୬ରେ ଏହି କାମକୁ ଅଧିକ ଦୁଇବର୍ଷ ପାଇଁ ଦିଆଯାଇଥିଲା। ମାତ୍ର ରାମ୍‌କି ୨୦୧୮ରେ ପରିମଳ କାମ କରିପାରିବ ନାହିଁ ବୋଲି ୪୫ ଦିନର ପୂର୍ବ ନୋଟିସ୍‌ ଦେଇ କାମ ଛାଡ଼ିଥିଲା। ୨୦୧୮ ମାର୍ଚ୍ଚ ୩୧ ତାରିଖରେ କୌଣସି ଅଭିଜ୍ଞତା ନଥିବା ବିବିଜି ନାମକ ସଂସ୍ଥାକୁ ଏହି କାମ ପାଇଁ ୱାର୍କଅର୍ଡର୍‌ ମିଳିଥିଲା।

ବିବିଜି ମଧ୍ୟ ବିନା ଟେଣ୍ଡର୍‌ରେ ଉକ୍ତ କାମ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କରି ଆସୁଛି। ଏହା ଭିତ‌ରେ ପରିମଳ ପାଇଁ ଦୁଇଥର ଟେଣ୍ଡର୍‌ କରାଯାଇ ତାହାକୁ ବାତିଲ କରାଯାଇଛି। ଟେଣ୍ଡର୍‌ ଚୂଡାନ୍ତ କରାଯିବା ବଦଳରେ ବିବିଜି ସଂସ୍ଥାକୁ ଗତ ୪ ବର୍ଷ ଭିତରେ ୩୦୦ କୋଟିରୁ ଅଧିକ ଟଙ୍କା ବିନା ଟେଣ୍ଡର୍‌ରେ ଦିଆଯାଇଛି। ତେବେ, ଗତ ଜାନୁଆରିରେ ପୁଣି ଥରେ ସିଏମ୍‌ସିକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇ ଟେଣ୍ଡର୍‌ କରାଯାଇଥିଲା। କାଉନ୍‌ସିଲ୍‌ ଗଠନ ହେବା ପୂର୍ବରୁ ଏହି ଟେଣ୍ଡର୍‌ କରାଯାଇଥିଲା। ଇତିମଧ୍ୟରେ ୬ ମାସ ବତିଯାଇଥିଲେ ବି ଟେଣ୍ଡର୍‌ ଚୂଡାନ୍ତ ହୋଇନାହିଁ।

Also Read  ଦକ୍ଷିଣ ଆଫ୍ରିକାରେ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ୩୦୦ରୁ ଊର୍ଦ୍ଧ୍ବ ମୃତ

ଟେକ୍‌ନିକାଲ ବିଡ୍‌ରେ ଏଥିପାଇଁ ୭ଟି ସଂସ୍ଥାକୁ ଯୋଗ୍ୟ ବିବେଚିତ କରାଯାଇଥିଲେ ବି ଫାଇନାନ୍‌ସିଆଲ୍‌ ବିଡ୍‌ ଖୋଲିବାକୁ ଦୁଇମାସରୁ ଅଧିକ ସମୟ ନିଆଗଲାଣି। ଏଭଳି ସ୍ଥିତିରେ ସିଏମ୍‌ସି ପରିମଳ ପରିଚାଳନା ବ୍ୟବସ୍ଥା ଦିନକୁଦିନ ବିଗିଡ଼ିବା‌ରେ ଲାଗିଲାଣି। ଆବର୍ଜନା ଗଦା ହୋଇ ପଡି ରହୁଛି। ଅଭିଯୋଗ ନ ହେବା ପର୍ଯ୍ୟନ୍ତ ଆବର୍ଜନା ଉଠୁନାହିଁ। ଏପଟେ କିନ୍ତୁ ‌ଟେଣ୍ଡର୍‌ ବିଳମ୍ବ ହେବା ପଛ‌ରେ ଏକ ବିରାଟ ଷଡ଼୍‌ଯନ୍ତ୍ର ରହିଥିବା ଅଭିଯୋଗ ହୋଇଛି। ପୂର୍ବଥର ଭଳି ଏଥର ମଧ୍ୟ ବିଳମ୍ବ ଦର୍ଶାଇ ଟେଣ୍ଡର୍‌ ବାତିଲ କରିବାକୁ ମସୁଧା କରାଯାଉଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here