ମୁସଲ୍‌ମାନ ଝିଅମାନେ ୧୬ ବର୍ଷ ବୟସରେ ବାହା ହୋଇପାରିବେ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ

0
361

ଚଣ୍ଡୀଗଡ଼: ମନପସନ୍ଦର ବ୍ୟକ୍ତିଙ୍କୁ ବାହା ହେବା ଲାଗି ୧୬ ବର୍ଷ ବୟସରୁ ଊର୍ଦ୍ଧ୍ବ ମୁସଲ୍‌ମାନ ବାଳିକା ଔପଚରିକ ରାଜିନାମା କରିବାକୁ ସମର୍ଥ ବୋଲି ଆଜି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି। ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା ପଠାନ୍‌କୋଟ୍‌ର ଏକ ମୁସଲମାନ୍‌ ଦମ୍ପତିଙ୍କ ମାମଲାର ରାୟ ଶୁଣାଇ ବିଚାରପତି ଯଶଜିତ ସିଂହ ବେଦିଙ୍କ ଏକକ-ବିଚାରପତିବିଶିଷ୍ଟ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି।

ଆବେଦନକାରୀମାନେ ଉଲ୍ଲେଖ କରିଛନ୍ତି ଯେ, ମୁସଲ୍‌ମାନ ରୀତିନୀତି ଅନୁସାରେ ୨୦୨୨ ଜୁନ୍‌ ୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ, ସେମାନଙ୍କର ପରିବାର ଉକ୍ତ ବିବାହକୁ ବିରୋଧ କରିବା ସହ ବିନା ଅନୁମତିରେ ବିବାହ କରିଛନ୍ତି ବୋଲି ଦୋଷାରୋପ କରିଥିଲେ। ଖଣ୍ଡପୀଠ କହିଛନ୍ତି, ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଆବେଦନକାରୀମାନେ ବାହା ହୋଇଥିବା କାରଣରୁ ଭାରତୀୟ ସମ୍ବିଧାନରେ ଉଲ୍ଲିଖିତ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇପାରିବେ ନାହିଁ।

‘ଇସ୍‌ଲାମିକ୍‌ ଶାରିଆ ନିୟମ’ର ଦୃଷ୍ଟାନ୍ତ ଦେଇ ବିଚାରପତି ବେଦି କହିଛନ୍ତି, ମୁସଲମାନ୍‌ ଝିଅର ବିବାହ ‘ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ଅନୁଯାୟୀ ସମ୍ପନ୍ନ ହୋଇଥାଏ। ସାର୍‌ ଦିନ୍‌ଶାହ ଫଦୁର୍ନଜୀ ମୁଲ୍ଲାଙ୍କଦ୍ବାରା ଲିଖିତ ‘ପ୍ରିନ୍‌ସିପଲ୍‌ସ୍‌ ଅଫ୍‌ ମହମେଡାନ୍‌ ଲ’ ପୁସ୍ତକର ଧାରା ୧୯୫ ଅନୁସାରେ, ୧୬ ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ୨ ନମ୍ବର ଆବଦେନକାରୀ (ଝିଅ) ଆପଣା ମନପସନ୍ଦର ବ୍ୟକ୍ତି ସହିତ ବିବାହ କରିବା ଲାଗି ଔପଚରିକ ରାଜିନାମା କରିବା ଲାଗି ସମର୍ଥା।

୧ ନମ୍ବର ଆବେଦନକାରୀଙ୍କୁ (ପୁଅ) ବିବାହ କରିବା ଲାଗି ୨୧ ବର୍ଷ ହୋଇଥିବା ଆବଶ୍ୟକ ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ ଅଛି। ତେଣୁ, ‘ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ଅନୁସାରେ ଉଭୟ ଆବେଦନକାରୀଙ୍କର ବିବାହଯୋଗ୍ୟ ବୟସ ହୋଇସାରିଛି ବୋଲି ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ଆବଦେନକାରୀଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା ନ କରି ଅଦାଲତ ଚୁପ୍‌ ହୋଇ ବସିବ ନାହିଁ। ତେଣୁ, ଦମ୍ପତିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ସହିତ ସେମାନଙ୍କ ନିମନ୍ତେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଠାନ୍‌କୋଟ୍‌ର ଏସ୍‌.ଏସ୍‌.ପି.ଙ୍କୁ ଅଦାଲତ ନିର୍ଦେଶ ଦେଇଛନ୍ତି।

Also Read  ଆଜିଠୁ ରାଜ୍ୟରେ ଶୁଖିଲା ପାଗ : ଆଗକୁ ଶୀତ ପଡ଼ିବ