ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଜାଭେଲିନ ଫାଇନାଲରେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା

0
440
Neeraj Chopra qualifies for javelin throw final at World Athletics Championships

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପୁଣି ଚମକିଲେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଖ୍ୟାତି ଆଣିଥିବା ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଫାଇନାଲରେ ପ୍ରବେଶ କରିଛନ୍ତି ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା । ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ।ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗି ସିଧା ଫାଇନାଲ ଟିକେଟ ହାତେଇଛନ୍ତି।

ନୀରଜ ଜାଭେଲିନ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଗ୍ରୁପ ଏରେ ଥିଲେ । ଏହି ଗ୍ରୁପରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି। ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ସେ ଦୁଇ ଥର ୮୮.୩୯ ମିଟରରୁ ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ନୀରଜଙ୍କ ଫାଇନାଲ ମୁକାବିଲା ଭାରତୀୟ ସମୟ ରବିବାର ସକାଳ ୭.୫ରେ ହେବ।

ଯେଉଁ ପ୍ରତିଯୋଗୀମାନେ ୮୩.୫୦ ମିଟରରୁ ଅଧିକ କିମ୍ବା ଟପ୍‌ ୧୨ ମଧ୍ୟରେ ରହିବେ, ସେମାନଙ୍କୁ ନେଇ ବିଶ୍ୱ ଚାମ୍ପିୟନସିପର ପୁରୁଷ ଜାଭେଲିନ ଫାଇନାଲ ଖେଳାଯିବ। ନୀରଜଙ୍କ ସମେତ ଭାରତର ଅନ୍ୟତମ ପ୍ରତିଯୋଗୀ ରୋହିତ ଯାଦବ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି।

ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନସିପରେ ନୀରଜ ଫାଇନାଲରେ ପ୍ରବେଶ କରିପାରି ନଥିଲେ । ଆହତ କାରଣରୁ ସେ ୨୦୧୯ ବିଶ୍ୱ ଚାମ୍ପିୟନସିପରେ ଭାଗ ନେଇ ନଥିଲେ।

Also Read  ଇସାରା ଦେଇ ମମତାଙ୍କ ଟିଏମସିକୁ ବାଣ ମାରିଲେ ମାର୍ଗେଟ ଆଲଭା