ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ବଢିଲା ଅଡୁଆ । ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଏହି ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି । ଏନେଇ କଂଗ୍ରେସ ନେତା ତଥା ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ନୋଟିସ୍ ଜାରି କରିଛନ୍ତି । ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ ବିଧାୟକ ମୋକିମ୍ଙ୍କୁ ନୋଟିସ୍ ରେ ନିର୍ଦ୍ଦେଶ ଦିଆଯାଇଛି ।
ଆମେ କହିରଖୁ କି, ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେଇଥିଲା । କିନ୍ତୁ ବିଧାୟକ ମହମ୍ମଦ ମୋକିମ୍, ଏନ୍ ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତାର ଜବାବରେ ମୋକିମ କହିଥିଲେ କି, ସେ ଓଡ଼ିଆ ହିସାବରେ ନିଜ ବିବେକ ମୁତାବକ କାର୍ଯ୍ୟ କରିଛନ୍ତି ।