ଅଭିନେତା ତଥା ନେତା ରାଜ୍‌ ବବରଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ

0
484
actor-politician-raj-babbar-gets-2-year-jail-term

ଲକ୍ଷ୍ନୌ: ଫିଲ୍ମ ଅଭିନେତା ତଥା କଂଗ୍ରେସ ନେତା ରାଜ ବବ୍‌ରଙ୍କୁ ୨୬ ବର୍ଷ ପୁରୁଣା ଏକ ମାମଲାରେ ଏମ୍‌ପି ଏମ୍‌ଏଲଏ କୋର୍ଟରୁ ମିଳିଛି ୨ ବର୍ଷର ଜେଲଦଣ୍ଡ। ଏହା ସହିତ କୋର୍ଟ ୮୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଅଭିନେତାରୁ ରାଜନେତା ହୋଇଥିବା ରାଜ ବବ୍‌ର ସରକାରୀ କର୍ମଚାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସେମାନଙ୍କୁ ହଇରାଣ କରିବା ନେଇ ସଙ୍ଗିନ ମାମଲା ରୁଜୁ ହୋଇଥିଲା।

ରାଜ ବବର ୨୬ ବର୍ଷ ତଳେ ଭୋଟ୍‌ଦାନ କେନ୍ଦ୍ର ଭିତରେ ପଶି ଜଣେ ପୋଲିଂ ଅଧିକାରୀଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା । ସରକାରୀ କାମରେ ବାଧା ସୃଷ୍ଟି ଏବଂ ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ହୋଇଛି । ତେବେ ଏହି ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି । ଅବଶ୍ୟ ରାଜ ବବ୍‌ରଙ୍କୁ ଏହି ମାମଲାରେ କୋର୍ଟ ମଧ୍ୟବର୍ତ୍ତୀ କାଳୀନ ଜାମିନ ମଞ୍ଜୁର କରିଛନ୍ତି ।

ସୂଚନା ଅନୁସାରେ, ଏହି ଘଟଣା ଘଟିଥିଲା ୧୯୯୬ ମସିହା ମେ ୨ ତାରିଖରେ । ସେତେବେଳେ ରାଜ ବବ୍‌ର ସମାଜବାଦୀ ପାର୍ଟି ତରଫରୁ ନିର୍ବାଚନ ଲଢୁଥିଲେ । ସେତିକି ବେଳେ ଏକ ଭୋଟ୍‌ଦାନ କେନ୍ଦ୍ରରେ ପଶି ପୋଲିଂ ଅଫିସର କୃଷ୍ଣସିଂହ ରାଣାଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଥିଲା । ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ ରାଜ ବବ୍‌ର ଏବଂ ତାଙ୍କର ସମର୍ଥକମାନେ ଭୋଟ୍‌ଦାନ କେନ୍ଦ୍ରରେ ମାରପିଟ ଓ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ପୋଲିଂ ଅଫିସର କୃଷ୍ଣସିଂହ ଆହତ ମଧ୍ୟ ହୋଇଥିଲେ । ଏହି ଗଣ୍ଡଗୋଳରେ ରାଜ୍‌ଙ୍କ ସହ ଅରବିନ୍ଦ ଯାଦବ ମଧ୍ୟ ଅଭିଯୁକ୍ତ ଥିଲେ । ତେବେ କେବେଠାରୁ ତାଙ୍କର ମୃତ୍ୟୁ ହୋଇ ସାରିଲାଣି ।

Also Read  ଏଣିକି ୧୦୦% ସିଲାବସରେ ହେବ ପାଠପଢା, ନବମ ଓ ଦଶମର ବି ଅନୁଷ୍ଠିତ ହେବ ପ୍ରାକ୍ଟିକାଲ ପରୀକ୍ଷା