ନୂଆଦିଲ୍ଲୀ : ମୁରାଦାବାଦର ଉଦ୍ୟୋଗପତି ଡ. ଅରବିନ୍ଦ କୁମାର ଗୋୟଲ ନିଜର ସମସ୍ତ ସମ୍ପତ୍ତି ଗରିବଙ୍କୁ ଦାନ କରିଛନ୍ତି । ଦାନ କରିଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା । ନିଜ ପାଖରେ ସେ କେବଳ ଘର ରଖିଛନ୍ତି । ଦୀର୍ଘ ୫୦ ବର୍ଷର ପରିଶ୍ରମ ବଳରେ ସେ ଏହି ସମ୍ପତ୍ତିର ମାଲିକ ହୋଇଥିଲେ । ଗୋୟଲ ସମାଜସେବାରେ ସକ୍ରିୟ ଅଛନ୍ତି । ତାଙ୍କ ସହଯୋଗରେ ଗତ ୨୦ ବର୍ଷରୁ ସମଗ୍ର ଦେଶରେ ଶତାଧିକ ବୃଦ୍ଧାଶ୍ରମ, ଅନାଥ ଆଶ୍ରମ ଓ ମାଗଣା ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି । ତାଙ୍କ ସାହାଯ୍ୟରେ ଚାଲୁଥିବା ସ୍କୁଲମାନଙ୍କରେ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ।
କୋଭିଡ୍ ଲକ୍ଡାଉନ୍ରେ ପ୍ରାୟ ୫୦ ଗାଁକୁ ପୋଷ୍ୟ କରି ସେ ଲୋକଙ୍କୁ ମାଗଣା ଖାଦ୍ୟ ଓ ଔଷଧ ପ୍ରଦାନ କରିଛନ୍ତି । ମୁରାଦାବାଦ୍ର ଅଲାବା ପ୍ରଦେଶର ଅନ୍ୟ କ୍ଷେତ୍ର ଓ ରାଜସ୍ଥାନରେ ମଧ୍ୟ ତାଙ୍କର ସ୍କୁଲ-କଲେଜ ଓ ଇଞ୍ଜିନିୟରିଂ କଲେଜ ରହିଛି । ମୁରାଦାବାଦ୍ର ସିଭିଲ୍ ଲାଇନ୍ସର ନିଜ କୋଠାକୁ ଛାଡ଼ି ବାକି ସମସ୍ତ ସମ୍ପତ୍ତି ଦାନ କରିବାକୁ ସେ ଘୋଷଣା କରିଛନ୍ତି । ପ୍ରକୃତ ହିତାଧିକାରୀଙ୍କ ପାଖରେ ସାହାଯ୍ୟ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କୁ ସେ ଏହି ଦାନ ଦେଇଛନ୍ତି । ସମସ୍ତ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିବା ପରଠୁ ସମଗ୍ର ଅଞ୍ଚଳରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟୁଛି । ଗୋୟଲଙ୍କ ପରିବାରରେ ତାଙ୍କ ପତ୍ନୀ ରେନୁ ଗୋୟଲ, ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି ।
ବଡ଼ ପୁଅ ମୁମ୍ବାଇରେ ରହୁଛନ୍ତି । ସାନ ପୁଅ ମୁରାଦାବାଦ୍ରେ ରହି ସମାଜସେବା ଓ ବ୍ୟବସାୟରେ ବାପାଙ୍କୁ ସାହାଯ୍ୟ କରୁଛନ୍ତି । ଝିଅ ବିବାହ ପରେ ବରେଲୀରେ ରହୁଛନ୍ତି । ୩ ସନ୍ତାନ ଓ ପତ୍ନୀ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ନିଜର ସମସ୍ତ ପୁଞ୍ଜି ଗରିବଙ୍କ ସେବାରେ ଲାଗୁ ହେଉ ବୋଲି ଗୋୟଲ ଚାହାନ୍ତି । ଜୀବନର କୌଣସି ଭରସା ନାହିଁ । ତେଣୁ ବଞ୍ଚିଥିବାବେଳେ ନିଜ ସମ୍ପତ୍ତିକୁ ଉଚିତ୍ ହାତକୁ ସେ ଟେକିଦେଲେ । ଏହା ଅନାଥ, ଗରିବ ଓ ବେସାହାରା ଲୋକଙ୍କ କାମରେ ଆସିବ । ମୁରାଦାବାଦ୍ରେ ଜନ୍ମିତ ଗୋୟଲଙ୍କ ବାପା ପ୍ରମୋଦ କୁମାର ଓ ମା’ ଶକୁନ୍ତଳା ଦେବୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ।
ସମାଜସେବା ପ୍ରତି ପାସନ୍ ଯୋଗୁ ଗୋୟଲଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସମ୍ମାନିତ କରାଯାଇଛି । ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରତିଭା ପାଟିଲ ଓ ଡ. ଏପିଜେ ଅବଦୁଲ କଲାମ ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସମାଜସେବା ଲାଗି ତାଙ୍କୁ ସମ୍ମାନିତ କରିଛନ୍ତି । ଗରିବମାନେ ଗୋୟଲଙ୍କୁ ଦେବତା ଭଳି ପୂଜା କରନ୍ତି । କେବଳ ମୁରାଦାବାଦ୍ ନୁହେଁ, ବରଂ ଉତ୍ତରପ୍ରଦେଶର ଜଣାଶୁଣା ଉଦ୍ୟୋଗପତି ରୂପେ ତାଙ୍କର ଖ୍ୟାତି ରହିଛି । ତଥାପି ସେ ସାଧାରଣ ଜୀବନ ନିର୍ବାହ କରନ୍ତି । ତାଙ୍କ ସମ୍ପତ୍ତି ବିକ୍ରିରୁ ଯାହା ଅର୍ଥ ମିଳିବ, ସେଥିରେ ଗରିବ ଏବଂ ଅନାଥ ଓ ବେସାହାରାଙ୍କୁ ମାଗଣା ଶିକ୍ଷା ଓ ଚିକିତ୍ସା ପ୍ରଦାନ କରାଯାଉ ବୋଲି ରାଜ୍ୟ ସରକାରଙ୍କଠାରୁ ସେ ଆଶା କରିଛନ୍ତି ।