ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍କୁ ବଡ ଝଟ୍କା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଛନ୍ତି । ରାପିଡ ଆଣ୍ଟିଜେନ ଟେଷ୍ଟରେ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଏ ନେଇ ଭାରତ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଅଧିକାରିକ ଭାବେ ସୂଚନା ଦିଆଯାଇଛି । କୋଭିଡ ପଜିଟିଭ ଜଣାପଡିବା ପରେ ସେ ରହୁଥିବା ହୋଟେଲରେ ନିଜକୁ ଆଇସୋଲେଟ୍ କରିଛନ୍ତି । ଦଳର ଅନ୍ୟ ସଦସ୍ୟ ସ୍ଥାନୀୟ କାଉଣ୍ଟି ଟିମ ସହ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ରୋହିତ ଶର୍ମା ଆଇସୋଲେସନରେ ରହିଥିବା ଜଣାପଡିଛି ।
ବିସିସିଆଇ ଟ୍ୱିଟ୍ କରି କହିଛି ଯେ, ଅଧିନାୟକ ରୋହିତ ଶର୍ମା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଖେଳାଳିଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ହୋଇଥିଲା । ଏଥିରେ ରୋହିତ ପଜିଟିଭ୍ ଥିବା ଜଣାପଡିଥିଲା । ଏବେ ସେ ହୋଟେଲରେ ଆଇସୋଲେସନରେ ଅଛନ୍ତି । ବିସିସିଆଇ ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଜୁଲାଇ ୩ ତାରିଖରୁ ଆରମ୍ଭ ହେବ । ଗତବର୍ଷ ଦୁଇ ଦଳ ମଧ୍ୟରେ ପାଂଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ପରେ ଭାରତର କିଛି ଖେଳାଳି କରୋନାରେ ସଂକ୍ରମିତ ହୋଇଥିଲେ । ଯେଉଁଥିପାଇଁ ଭାରତ ଚତୁର୍ଥ ଟେଷ୍ଟ ପରେ ପଂଚମ ଟେଷ୍ଟ ଖେଳିବାକୁ ମନା କରିଦେଇଥିଲା । ଏବେ ସେହି ଟେଷ୍ଟ ଜୁଲାଇ ୩ରୁ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ପାଂଚଟିକିଆ ସିରିଜରେ ୨-୧ରେ ଆଗୁଆ ରହିଛି ।