ଅଫେରା ରାଇଜରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

0
181

ଭୁବନେଶ୍ୱର : ପରଲୋକରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ କର । ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।

ଗତକାଲି ରାତି ୧୦ ଟା ୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ରାତି ୯ ଟା ପରେ ସେ ରାତ୍ରିଭୋଜନ କରିବା ପରେ ବିଶ୍ରାମ ନେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଅକ୍ସିଜେନ ସ୍ତର ହଠାତ୍ କମି ଯାଇଥିଲା ।

ଆଉ ଏହାର କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ୟୁ ଶଯ୍ୟାରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ।

ପ୍ରଫୁଲ୍ଲ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୋକବାର୍ତ୍ତାରେ ସ୍ୱର୍ଗତ କରଙ୍କୁ ଯଶସ୍ୱୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଜଣେ ଗୀତିକାର, ସଂଗୀତଜ୍ଞ ତଥା ସଂଗୀତ ନିର୍ଦ୍ଦେଶକ ଭାବରେ ସେ ଅନେକ ଗୌରବାଜ୍ୱଳ କୀର୍ତ୍ତି ସ୍ଥାପନ କରିଛନ୍ତି । ତାଙ୍କ ବିୟୋଗ ଓଡିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି । ତାଙ୍କର ସ୍ୱତନ୍ତ୍ର ସଂଗୀତ ରଚନା ଶୈଳୀ ଓ ନିର୍ଦ୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ ।

ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ୨୦୧୫ ପ୍ରଦ୍ମଶ୍ରୀ ସମ୍ମାନ ପାଇଥିଲେ । ୨୦୦୪ରେ ସେ ଜୟଦେବ ପୁରସ୍କାର ପାଇଥିଲେ । ଏହା ସହ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର-୨୦୦୬, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ-୨୦୦୯ ପାଇଥିଲେ । ଓଡ଼ିଶା ସଙ୍ଗୀତ କ୍ଷେତ୍ରକୁ ପ୍ରଫୁଲଙ୍କର ବହୁ ଅବଦାନ ରହିଛି ।

ଜଣେ ସ୍ତମ୍ଭକାର ଭାବେ ପ୍ରଫୁଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ରଚିତ ସାଉଁଟା କାହାଣୀ ପୁସ୍ତକ ପ୍ରକାଶ ପାଇଥିଲା । ଏହାବାଦ ରାଜନୈତିକ ଜୀବନକୁ ନେଇ ଯାହା କହୁଛି ସତ କହୁଛି ପୁସ୍ତକ ଲେଖିଥିଲେ । ସଙ୍ଗୀତ ଜଗତରେ ସଫଳତା ପରେ ୧୯୯୫ରେ ରାଜନୀତିରେ ପାଦ ଥାପିଥିଲେ । ସେ ୧୯୯୫ ମସିହାରେ ସେ କଂଗ୍ରେସ ଟିକେଟରୁ ପୁରୀ ବିଧାନସଭା ଆସନରୁ ଲଢି ହାରିଯାଇଥିଲେ ।

Also Read  ୟୁରୋପରେ ଡରାଇଲାଣି ମଙ୍କିପକ୍ସ, ଜରୁରୀ ବୈଠକ ଡାକିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ତାଙ୍କ ପରଲୋକର ଖବର ପାଇଁ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରୁଛନ୍ତି । ତାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here