‘ବିଜେପିକୁ ସୁହାଇଲା ଭଳି କଂଗ୍ରେସ ରଣନୀତି ତିଆରି କରୁଛି’

0
171

ଗୌହାଟି: ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଦଳର ଅନେକ ନେତା ରାଜ୍ୟରେ ବିଜେପି ସହିତ ବିଶେଷ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମିଶି କାମ କରୁଛନ୍ତି। ତେଣୁ ଆସାମ କଂଗ୍ରେସର ଅନେକ ରଣନୀତି ବିଜେପିକୁ ସୁହାଇଲା ଭଳି ହେଉଛି।

ବୋରା କଂଗ୍ରେସ ଛାଡିବା ପରେ ଟିଏମସିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ଲେଖିଥିଲେ। ଯେଉଁଥିରେ କୁହାଯାଇଛି ଯେ କଂଗ୍ରେସରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ବିଜେପିକୁ ସାହାଯ୍ୟ କରୁଛି । ତେଣୁ ୧୯୭୬ ରୁ କଂଗ୍ରେସ ସହ ରହିଥିଲେ ମଧ୍ୟ ତାଙ୍କୁ ଦଳ ଛାଡିବାକୁ ବାଧ୍ୟ କରାଗଲା ପରୋକ୍ଷରେ।

ସେ ଆହୁରି ଲେଖିଛନ୍ତି ଯେ ଆସାମରେ ବିଜେପି ବିରୋଧରେ ଳଢ଼େଇ କରିବା ପରିବର୍ତ୍ତେ ଆସାମ କଂଗ୍ରେସ ନେତା ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ସରକାରଙ୍କ ସହ ଗୁପ୍ତ ବୁଝାମଣା ବଜାୟି ରଖିଛି । ରାଜ୍ୟର ପୂର୍ବତନ ମନ୍ତ୍ରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳର କିଛି ନେତା ଏଭଳି ଭୂମିକା ଗ୍ରହଣ କରିଛନ୍ତି ଯାହା ବିଜେପି ପାଇଁ ଆସାମରୁ ରାଜ୍ୟସଭାର ଦୁଇଟି ଯାକ ଆସନ ଜିତିବାର ରାସ୍ତା ପ୍ରଶସ୍ତ କରିଛି।

ଉଲ୍ଲେଖଯୋଗ୍ୟ, ବୋରାଙ୍କୁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ କରିଥିଲା। ଆସାମରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଭାବେ ସେ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ପରେ କିନ୍ତୁ ସେ ବିଫଳ ହୋଇଛନ୍ତି। ବୋରା ଦାବି କରିଛନ୍ତି ଯେ ୨୦୧୬ରେ ଆସାମ ପ୍ରଦେଶ କଂଗ୍ରେସର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସେ କଂଗ୍ରେସକୁ ଏକ ଭଳ ସ୍ଥିତିକୁ ଆଣିବାରେ ସକ୍ଷମ ହୋଇଥିଲେ । ଯେଉଁଥିପାଇଁ ୨୦୨୧ ରାଜ୍ୟ ନିର୍ବାଚନରେ କଂଗ୍ରେସ ଏଠାରେ ସରକାର ଗଢ଼ିବ ବୋଲି ଲୋକେ ଆଶା ରଖିଥିଲେ।

କିନ୍ତୁ ଆସାମ ପିସିସିର ବରିଷ୍ଠ ନେତାଙ୍କ ଏକ ଗୋଷ୍ଠୀର କ୍ରମାଗତ ଆଭ୍ୟନ୍ତରୀଣ ଲଢ଼େଇ ଯୋଗୁଁ ଲୋକମାନେ ଦଳ ଉପରେ ବିଶ୍ୱାସ ହରାଇଛନ୍ତି ଏବଂ ଜନାଦେଶ ବିଜେପି ସପକ୍ଷରେ ଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ରିପୁନ ବୋରାଙ୍କୁ ଟିଏମସି ଆଜି ସ୍ୱାଗତ କରିଛି । ରିୁପନ ବୋରା ହେଉଛନ୍ତି ଆସାମର ଦ୍ୱିତୀୟ କଂଗ୍ରେସ ନେତା ଯିଏକି କଂଗ୍ରେସ ଛାଡି ଟିଏମସିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସୁସ୍ମିତା ଦେବ ଯିଏକି ଆସାମ କଂଗ୍ରେସର ପ୍ରମୁଖ ନେତା ଥିଲେ । ସେ କଂଗ୍ରେସ ଛାଡିବା ପରେ ଟିଏମସିରେ ସାମିଲ ହୋଇଥିଲେ। ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Also Read  କୁସ୍ତିରେ ନବୀନଙ୍କୁ ସ୍ୱର୍ଣ୍ଣ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ୧୨ତମ ଗୋଲ୍ଡ ମେଡାଲ

LEAVE A REPLY

Please enter your comment!
Please enter your name here