ଟେକ୍ସାସ୍‌ରେ ଛାତିଥରା ଘଟଣା: କଣ୍ଟେନରରୁ ମିଳିଲା ୪୬ ଜଣଙ୍କ ମୃତ ଦେହ

0
311
death-bodies-of-46-people-found-inside-truck-in-texas

ଆମେରିକା: ଆମେରିକାର ଟେକ୍ସାସ୍‌ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଟେକ୍ସାସ୍‌ ରାଜ୍ୟର ସେନ୍‌ ଏଣ୍ଟୋନିୟୋ ସହରରେ କଣ୍ଟେନର ବା ବନ୍ଦ ଟ୍ରକ୍‌ ଭିତରୁ ୪୬ଟି ମୃତ ଦେହ ଜବତ ହୋଇଛି। ଏତେ ସଂଖ୍ୟାରେ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଟିମ୍‌ ପହଞ୍ଚିଛନ୍ତି। ଏଥିସହ ରାସ୍ତାକୁ ସିଲ୍‌ କରି ଦିଆଯାଇଛି।

ସେନ୍ ଆଣ୍ଟୋନିଓର କେସାଟ୍ ଚ୍ୟାନେଲ୍ ଅନୁସାରେ, ଟ୍ରକଟି ସହରର ଦକ୍ଷିଣ ପ୍ରାନ୍ତରେ ଥିବା ଏକ ରେଳ ଧାରଣା ପାଖରେ ଥିଲା। ଏହାକୁ ଖୋଲିବା ପରେ ତା’ଭିତରୁ ଏତେ ସଂଖ୍ୟାରେ ମୃତଦେହ ମିଳିଥିଲା। କେସାଟର ଟ୍ୱିଟ୍ ଅନୁସାରେ, ପୁଲିସ ଗାଡି ଓ ଆମ୍ବୁଲାନ୍ସ ଏକ ବଡ ଟ୍ରକ୍ ଆଗରେ ରହିଛନ୍ତି। ଏଥିରେ ମୃତଦେହ ଲଦାଯାଉଛି। ତେବେ ସମସ୍ତ ମୃତକ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିଲେ ବୋଲି ଅନୁମାନ କରାଯାଉଛି। ସେପଟେ ସେନ୍ ଆଣ୍ଟୋନିଓ ପୁଲିସ ଘଟଣା ବାବଦରେ ଅଧିକ ତଥ୍ୟ ଦେଉନାହିଁ।

ସୂଚନା ମୁତାବକ, ଟ୍ରକ ଭିତରୁ ୪୬ ଜଣଙ୍କ ମୃତ ଦେହ ମିଳିଛି। ଏଥିସହ ୧୬ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କଣ୍ଟେନର ଟେକ୍ସାସର ଦକ୍ଷିଣ-ପଶ୍ଚିମରେ ସ୍ଥିତ ସେନ୍‌ ଏଣ୍ଟୋନିୟୋର ଶୁନଶାନ୍‌ ସ୍ଥାନରେ ମିଳିଛି। ଏମାନେ ଆମେରିକାରେ ବେଆଇନ୍‌ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି। କୁହାଯାଉଛି ଯେ ଏମାନେ ମେକ୍ସିକୋରୁ ଲୁଚି ଲୁଚି ଆମେରିକାରେ ପଶୁଥିଲେ। ଏଭଳି ଭାବେ ଅନୁପ୍ରବେଶ ଉଦ୍ୟମ କରି ପୂର୍ବରୁ ବି ହଜାର ହଜାର ଲୋକ ଜୀବନ ହାରିଛନ୍ତି। କିନ୍ତୁ ଏମିତି ମାମଲା ପୂର୍ବରୁ କେବେ ବି ସାମ୍ନାକୁ ଆସିନଥିଲା।

ଏହି ଟ୍ରକ୍‌ ବିଷୟରେ ପୋଲିସକୁ ଜଣେ ଅଜଣା ବ୍ୟକ୍ତି ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଟ୍ରକର ଗେଟ୍‌ ଅଳ୍ପ ଖୋଲାଥିଲା। ସେଥିରୁ ଗୋଟିଏ ଶବ ଟ୍ରକ୍‌ ବାହାରେ ପଡ଼ିଥିଲା। ଯେଉଁ ୧୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ୧୨ ଜଣ ବୟସ୍କ ଓ ୪ ଜଣ ଛୋଟ ପିଲା ଅଛନ୍ତି। ସମସ୍ତଙ୍କ ଶରୀର ଗରମରେ ତାତି ଯାଇଥିଲା ଓ ଶରୀରରେ ଜଳୀୟାଂଶର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା। ବର୍ତ୍ତମାନ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ତେବେ ତଦନ୍ତ ପରେ ଏତେ ଶବ କୁଆଡ଼ୁ ଆସିଲା ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏବେ ଯାଏଁ ଏହି ଶବଙ୍କ ପରିଚୟ ମିଳିପାରି ନାହିଁ ବୋଲି ସେ କହିଛନ୍ତି।

Also Read  ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଟପ୍-୫ ଭିତରେ ଓଡ଼ିଶାର ମାଲକାନଗିରି ଜିଲ୍ଲା