ଆବାସ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

0
68

ଭୁବନେଶ୍ୱର : ‘ଆବାସ ପ୍ଲସ୍ ୱିଣ୍ଡୋ’ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ଓଡ଼ିଶାକୁ ଆଉ ଥରେ ସୁଯୋଗ ଦେବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଅନୁରୋଧ କରିଛନ୍ତି। ଶୁକ୍ରବାର ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇ ରୁରାଲ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସ୍ଥାୟୀ ଅପେକ୍ଷା ତାଲିକାକୁ ସ୍ଥାନାନ୍ତର କରାଯାଉ ଏବଂ ଓଡ଼ିଶାକୁ ସୁଯୋଗ ଦିଆଯାଉ। କିପରି ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହେବେ ସେ ଦିଗରେ ବ୍ୟାପକ ତଦାରଖ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଲୋଚନାକାଳରେ ପ୍ରତିଶ୍ରୁତି ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଏହି ଯୋଜନା ଅନ୍ତର୍ଗତ ୨.୯୫ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ରଖାଯାଇ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଅନୁଦାନ ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି। ବର୍ତ୍ତମାନ ଦେଶରେ ୧.୯ କୋଟି ଘର ନିର୍ମାଣ କରାଯାଇଛି। ସେହିପରି ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କ୍ରିୟାନ୍ୱୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ୨୦୨୧ ଓ ୨୦୨୨ ଫେବୃୟାରୀରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ତଦନ୍ତ ଚିନ୍ତାଜନକ ଥିଲା।

ଏହି ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଯୋଗ୍ୟ ହିତାଧିକାରୀଙ୍କୁ ପରମାନେଟ୍ୱେଟିଂ ଲିଷ୍ଟରୁ ବାଦ୍‌ ଦିଆଯାଇଛି। ଆବାସ ସଫ୍ଟ ଡାଟାବେସରେ ବିଡ଼ିଓଙ୍କ ଦ୍ୱାରା ୯୮ ହଜାର ୫୬୨ ହିତାଧିକାରୀଙ୍କୁ ମାନୁଆଲ ଓଭରରାଇଡରେ ପାଣ୍ଠି ହସ୍ତାନ୍ତର କରାଯାଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। ସେହିପରି ଦ୍ୱିତୀୟ ତଦନ୍ତରୁ ଜଣାପଡ଼ିଥିଲା, ନିମ୍ନମାନର ବାସଗୃହ ନିର୍ମାଣ, ଆବାସ ପ୍ଲସ ସର୍ଭେରେ ତ୍ରୁଟି, ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ଲୋଗୋ ବ୍ୟବହାରରେ ଅବହେଳା, ଯୋଜନାକୁ ରାଜ୍ୟରେ ବ୍ୟାପକ ଭାବରେ କ୍ରିୟାନ୍ୱୟନ କରିବାରେ ଓଡ଼ିଶା ସରକାର ଠିକ୍ ଭାବରେ ତଦାରଖ କରି ନଥିଲେ। ଏହି ଦିଗରେ ରାଜ୍ୟବ୍ୟାପୀ ସଠିକ୍ ଭାବରେ ପିଏମ ଗ୍ରାମୀଣ ଆବାସ ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ।

ତଥ୍ୟରୁ ଜଣାପଡ଼ୁଛି ଯେ ୮ ଲକ୍ଷ ୧୭ ହଜାର ୫୧୩ ଘର ମଧ୍ୟରୁ ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲା ଜନଜାତି ବହୁଳ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳ ଯଥା ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, କନ୍ଧମାଳ, ଦେବଗଡ଼ ଏବଂ ସୁବର୍ଣ୍ଣପୁର ଇତ୍ୟାଦି ୧୪ଟି ଜିଲାରେ ମାତ୍ର ୬ ହଜାର ୬୪୮ ଘର ଆବଣ୍ଟନ କରାଯାଇଛି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟରୁ ସମ୍ମୁଖୀନ ହେଉଥିବା ବେଳେ ଅଧିକ ଗ୍ରାମୀଣ ପରିବାର ଦୁର୍ଗମ ଜିଲାରେ ବସବାସ କରୁଛନ୍ତି। ତନ୍ମଧ୍ୟରୁ ଜନଜାତି ଜନସଂଖ୍ୟା ଅଧିକ ଥିବାରୁ ଘରଗୁଡ଼ିକ ପ୍ରଭାବିତ ହେଉଛି। ଏହାବ୍ୟତୀତ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ଲସ ପ୍ଲାଟଫର୍ମରୁ ବଞ୍ଚିତ ରହିଛନ୍ତି। ମନ୍ତ୍ରାଳୟ ଏଦିଗରେ ସହୃଦୟତାର ସହ ବିଚାର କଲେ ଓଡ଼ିଶାର ବହୁ ଅବହେଳିତ ବର୍ଗ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

Also Read  ସୁନା ୬୦,୦୦୦ ଟଙ୍କା ଛୁଇଁପାରେ : କାହିଁକି ମହଙ୍ଗା ହେଉଛି? ଜାଣନ୍ତୁ ....

LEAVE A REPLY

Please enter your comment!
Please enter your name here