ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ‘ଚୋର-ଚୋର’ ନାରା: ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ !

0
374
Imran Khan could be arrested at any time

ନୂଆଦିଲ୍ଲୀ: ମହଙ୍ଗା ପଡିପାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ‘ଚୋର୍‌-ଚୋର୍‌’ ନାରା । ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କ୍ଷମତାସୀନ ପାର୍ଟି ପିଏମ୍ଏଲ୍-ଏନ୍‌ ଅଭିଯୋଗ କରିଛି ଯେ, ଯାହା କିଛି ବି ହେଉଛି ସେଥିପାଇଁ କେବଳ ଇମ୍ରାନ ଖାନ ହିଁ ଦାୟୀ । ତାଙ୍କ ଇସାରାରେ ହିଁ ସବୁକିଛି ହେଉଛି । ସ୍ଲୋଗାନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବ ବୋଲି ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ତରଫରୁ କୁହାଯାଇଛି।

ସୂଚନା ଥାଉକି, ସାଉଦିର ମଦିନାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ବିରୋଧରେ ‘ଚୋର୍-ଚୋର୍’ ନାରା ଲଗାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇଙ୍ଗିତରେ ଏ ସମସ୍ତ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପାକ୍‌ ଗୃହମନ୍ତ୍ରୀ । ଉଲ୍ଲେଖଯୋଗ୍ୟ, ସାଉଦି ଆରବର ମଦିନାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ଙ୍କ ବିରୋଧରେ ‘ଚୋର୍‌-ଚୋର୍‌’ ସ୍ଲୋଗାନ ଦେବା କାରଣରୁ ପାକିସ୍ତାନ ପଞ୍ଜାବ ପୁଲିସ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସମେତ ୧୫୦ଜଣଙ୍କ ନାଁରେ ‘ଏଫ୍‌ଆଇଆର୍‌’ ରୁଜୁ କରିଥିଲା। ଶନିବାର ରାତିରେ ପଞ୍ଜାବ ପୁଲିସ ‘ପାକିସ୍ତାନ ତେହରୀକ୍-ଇ-ଇନ୍‌ସାଫ୍‌’ର ଅଧ୍ୟକ୍ଷ ଇମ୍ରାନ୍‌ ଖାଁ ଏବଂ ପୂର୍ବତନ ଫେଡେରାଲ୍‌ ମନ୍ତ୍ରୀ ଫୱାଦ୍‌ ଚୌଧୁରୀ, ଶେଖ୍‌ ରଶୀଦ୍‌ ଏବଂ ଇମ୍ରାନ୍‌ ଖାଁଙ୍କର ପୂର୍ବତନ ଉପଦେଷ୍ଟା ଶାହାବାଜ୍‌ ଗୁଲ୍‌, ସଂସଦର ଉପବାଚସ୍ପତି କାସିମ୍‌ ସୂରୀ ଏବଂ ଲଣ୍ଡନସ୍ଥିତ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ଅନୀଲ୍‌ ମୁସାରାତ୍‌ ଏବଂ ସାହିବଜାଦା ଜହାଙ୍ଗୀରଙ୍କ ନାମରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା।

Also Read  If India attacks, we'll retaliate: Imran warns