ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ସିରିଜ୍; ଓପନ କରିପାରନ୍ତି ରୋହିତ-ପନ୍ତ ଯୋଡି

0
236
india-vs wi-t20-series-starts from-today

ପୋର୍ଟ ଅଫ୍ ସ୍ପେନ୍‌: ଆଜିଠୁ ଭାରତ ୱେଷ୍ଟଇଣ୍ଡିଜ ଟି ୨୦ ସିରିଜ୍ । ରାତି ୮ଟାରେ ପୋର୍ଟ ଅଫ୍ ସ୍ପେନରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଇତି ମଧ୍ୟରେ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ଦିନିକିଆ ସିରିଜକୁ ପୋଛିନେବା ପରେ ଭାରତର ଫୁଲ୍ ଷ୍ଟ୍ରେନ୍ଥ ଟିମ୍ ଏବେ ଟି୨୦ ସିରିଜରେ ମଧ୍ୟ ପ୍ରାଧାନ୍ୟ ବଜାୟ ରଖି ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ଦ୍ୱିତୀୟ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିବ । ଆଜି ଭାରତ ଶ୍ରେଷ୍ଠ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ରୋହିତଙ୍କ ସହ ରିଷଭ ପନ୍ତଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିବା ଆଶା କରାଯାଉଛି । ମଧ୍ୟ ଭାଗରେ ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।

ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି, ପେସ୍‌ ବୋଲର ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । କୋହଲି ଓ ବୁମରାଙ୍କୁ ସମ୍ପୂର୍ଣ୍ଣ ୱେଷ୍ଟ ଇଣ୍ଡିଜ୍‌ ଗସ୍ତରୁ ବାଦ ଦିଆଯାଇଛି । ଚହଲ କେବଳ ଦିନିକିଆ ଦଳରେ ସାମିଲ ଥିଲେ । ଅସ୍ତ୍ରୋପଚାର ପରେ ଲୋକେଶ ରାହୁଲ ଫିଟ୍‌ ହୋଇ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇଥିଲେ । ହେଲେ ୱେଷ୍ଟ ଇଣ୍ଡିଜ୍‌ ଗସ୍ତ କରିବା ପୂର୍ବରୁ କରୋନା ସଂକ୍ରମିତ ହୋଇ ବାଦ ପଡ଼ିଛନ୍ତି ।

ଦିନିକିଆ ସିରିଜରୁ ବିଶ୍ରାମ ପରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ସବୁ ଷ୍ଟାର ଖେଳାଳି ଟି୨୦ ସିରିଜ ପାଇଁ ଫେରିଛନ୍ତି । ଉଲ୍ଳେଖଯୋଗ୍ୟ, ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଟି୨୦ ସିରିଜରୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଟି୨୦ ବିଶ୍ୱକପକୁ ଆଉ ମାତ୍ର ତିନି ମାସରୁ କମ୍ ସମୟ ରହିଥିବା ବେଳେ ଏହି ମେଗା ଇଭେଣ୍ଟ ପାଇଁ ଚୂଡ଼ାନ୍ତ ଦଳ ପ୍ରସ୍ତୁତ କରିବା ଲାଗି କ୍ୟାପଟେନ ରାହିତ ଓ କୋଚ୍ ରାହୁଲ ଦ୍ରାବିଡ ଆଉ ୧୬ଟି ମ୍ୟାଚ୍ ପାଇବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫, ଏସିଆ କପରେ ୫ (ଯଦି ଭାରତ ଫାଇନାଲ ଖେଳେ), ଅଷ୍ଟ୍ରେଲିଆ ବିପକ୍ଷରେ ୩ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ମ୍ୟାଚ୍ ଖେଳିବ ଭାରତ ।

ଦିନିକିଆ ସିରିଜରେ ମୂଳପୋଛ ହେବା ପରେ ୱେଷ୍ଟଇଣ୍ଡିଜ୍ ଟି୨୦ରେ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ରହିବ । ଦିନିକିଆ ତୁଳନାରେ ଟି୨୦ ଫର୍ମାଟରେ ୱେଷ୍ଟଇଣ୍ଡିଜ୍ ଏକ ଲଢୁଆ ଦଳ ଭାବେ ପରିଚିତ । ଏହି ଫର୍ମାଟକୁ ସୁହାଇବା ଭଳି ଦଳ ପାଖରେ ଅନେକ ପାୱାର ହିଟର ମଧ୍ୟ ଅଛନ୍ତି । ତେଣୁ ଭାରତକୁ ଘରୋଇ ଦଳ କଡ଼ା ଚ୍ୟାଲେଞ୍ଜ ଦେଇପାରେ ।

Also Read  ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର: SCB ମେଡିକାଲକୁ କରାଗଲା ନୋଡାଲ ସେଣ୍ଟର

LEAVE A REPLY

Please enter your comment!
Please enter your name here