ପୁଣି ଅଶାନ୍ତ ହେଲା ଆଫଗାନିସ୍ତାନ ରାଜଧାନୀ କାବୁଲ । କାବୁଲରେ ଏକ ଗୁରୁଦ୍ୱାର ‘କରତ-ଏ-ପରୱାନ’ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ସାଧାରଣ ନାଗରିକ ଏବଂ ତାଲିବାନର ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୭ ଜଣ ଆହତ ହୋଇଛନ୍ତି।
ଶନିବାର ସକାଳ ପ୍ରାୟ ୮ଟା ସମୟରେ କାବୁଲ କର୍ତେ ପରୱାନ ଗୁରୁଦ୍ୱାରରେ ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବାବେଳେ ହଠାତ ପ୍ରଚଣ୍ଡ ଶବ୍ଦରେ ଦୋହଲିଗଲା ଗୁରୁଦ୍ୱାରା ପରିସର । କେହି କିଛି ବୁଝିବା ଆଗରୁ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ସବୁ କିଛି ସତେ ଯେମିତି କ୍ଷଣିକ ଭିତରେ ବଦଳିଯାଇଥିଲା । ବିସ୍ପୋରଣ କାରଣରୁ ଏବେ ସୁଦ୍ଧା ୨ ଜଣ ଆଫଗାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ଗୁରୁଦ୍ୱାରର ଗାର୍ଡ ଥିଲେ ।
ଏହି ଘଟଣାରେ ଭାରତ ଚିନ୍ତା ପ୍ରକାଶ କରିଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଏହି ଗୁରୁଦ୍ୱାର ହେଉଛି ଆଫଗାନିସ୍ତାନର ଶେଷ ଅବଶିଷ୍ଟ ଗୁରୁଦ୍ୱାର | ନିକଟରେ ଆଫଗାନିସ୍ତାନର ଶିଖ ସମ୍ପ୍ରଦାୟର ଲୋକମାନେ କହିଥିଲେ ଯେ ଏବେ ଦେଶରେ କେବଳ ୧୪୦ ଶିଖ୍ ରହିଛନ୍ତି, କିନ୍ତୁ ୧୯୭୦ ଦଶକରେ ଆଫଗାନିସ୍ତାନରେ ପ୍ରାୟ ଏକ ଲକ୍ଷ ଶିଖ୍ ଥିଲେ।