କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଚାନ୍ଦବାଲି କୋର୍ଟରେ ହାଜର ହେଲେ ୪ ଅଭିଯୁକ୍ତ । ଗତ ୫ ଦିନ ଧରି ମାନସ ହତ୍ୟା ଘଟଣା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପ୍ରମାଣ ଯୋଗାଡ଼ କରିବାରେ ବ୍ୟସ୍ତ ଥିଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ରିମାଣ୍ଡ ଅବଧୀ ସରି ଯାଇଥିବା ବେଳେ ସେମାନଙ୍କୁ ପୁଣି ଥରେ ୫ ଦିନ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ କୋର୍ଟ ଦୁଇ ଜଣ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ବିଚାର ବିଭାଗୀୟ ହାଜତରେ ରହିବେ ଅନ୍ୟ ଦୁଇ ଅଭୁଯୁକ୍ତ ରଞ୍ଜନ ନାୟକ ଓ ନିରଞ୍ଜନ ସେଠୀ । ଭଦ୍ରକ ଉପ କାରାଗାରରେ ରହିବେ ଏହି ଦୁଇ ଅଭିଯୁକ୍ତ ।
ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଛି । ଏହି ଡାଏରୀରେ ନିରଞ୍ଜନଙ୍କ ବ୍ୟକ୍ତିଗତ ତଥ୍ୟ ରହିଥିବା କୁହାଯାଉଛି । ଶର୍ମିଷ୍ଠାଙ୍କ ଏକ ମୋବାଇଲ୍ ଫୋନ୍ ବି ଜବତ କରାଯାଇଛି । ତେବେ, ଯେଉଁ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା, ସେହି ଚିପ୍ ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ନିକଟରେ ବି ନାହିଁ ବୋଲି ଜଣାପଡ଼ିଛି ।