ଆଇସିସି ମହିଳା ବିଶ୍ୱକପ: ରେକର୍ଡ ସପ୍ତମ ଥର ପାଇଁ ଅଷ୍ଟ୍ରେଲିଆ ହେଲା ବିଶ୍ୱ ଚାମ୍ପିଅନ୍‌

0
390
icc-women-world-cup-2022 australia-win-record-seventh-world-cup-title

ଖ୍ରୀଷ୍ଟଚର୍ଚ୍ଚ: ଅଷ୍ଟ୍ରେଲିଆ କବ୍‌ଜାରେ ICC ମହିଳା ବିଶ୍ୱକପ୍‌। ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ମ୍ୟାଚ୍ ଜିତିବା ସହ ଇତିହାସ ରଚିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଟାଇଟଲ ଜିତିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଗତ ଥରର ବିଜେତା ଇଂଲଣ୍ଡକୁ ୭୧ ରନରେ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆଲିସା ହିଲିଙ୍କ ଚମତ୍କାର ଶତକ ବଳରେ ୫ ଓ୍ବିକେଟ୍ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନର ବିଶାଳ ସ୍କୋର୍ କରିଥିଲା । ଓପନର୍ ଆଲିସା ହିଲି ମାତ୍ର ୧୩୮ ବଲରେ ଚିତ୍ତାକର୍ଷକ ୧୭୦ ରନ୍ କରି କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ। ୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ଜବାବରେ ନାତାଲୀ ସିଭରଙ୍କ ଅପରାଜିତ ଶତକ ସତ୍ତ୍ୱେ ଇଂଲଣ୍ଡ ଦଳ ୪୩.୪ ଓଭରରେ ୨୮୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ହେଲି ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ ।

ରବିବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଟସ୍ ଜିତିଥିଲା ଇଂଲଣ୍ଡ। ଦଳ କିନ୍ତୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରିଥିଲା। ଏଲିସା ହେଲିଙ୍କ ୧୭୦ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଚେଲ ହାରନସ ୬୮ ଓ ବେଥ୍ ମୁନି ୬୨ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଅନ୍ୟା ଶ୍ରୁବସୁଲେ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋଫି ଏକିଲଷ୍ଟୋନ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ।

କିନ୍ତୁ ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ଭେଦ କରିପାରିଲାନି ଇଂଲଣ୍ଡ । ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କେବଳ ନାଟ୍ ସିଭର ଏକାକି ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ । ସେ ଶତକ ପୂରଣ କରିଥିଲେ । ଅନ୍ୟ କୌଣସି ବ୍ୟାଟର ତାଙ୍କୁ ସହଯୋଗ କରିନଥିଲେ । ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍ ହୋଇଯାଇଥିଲେ । ନାଟ୍ ୧୪୮ ରନ୍ କରି ଅପରାଜେୟ ରହିଥିଲେ । ଅନ୍ୟାମନଙ୍କ ମଧ୍ୟରେ ତମସିନ୍ ବିୟୁମୋଣ୍ଟ୍ ୨୭, ହେଦର ନାଇଟ୍ ୨୬ ଓ ସୋଫିଆ ଡଙ୍କଲୀ ୨୩ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ମେଗାନ ସ୍କଟ୍ ଦୁଇଟିଓ୍ୱିକେଟ୍ ନେଇଥିଲେ ।

Also Read  U19 Asia Cup final: Sri Lanka Wins The Toss, Indian Bowlers Dominate