ୟୁକ୍ରେନରୁ ଆସୁଛି ବିଚଳିତ କରିବା ଭଳି ଫଟୋ; ରୁଷୀୟ ସେନା ବିରୋଧରେ ନରସଂହାର ଅଭିଯୋଗ, ବୁଚା ସହରର ଚାରିଆଡ଼େ କୁଢ଼ କୁଢ଼ ଶବ

0
512
Massacre allegations against Russian army, corpses scattered all over the city of Bucha

କିଭ୍: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଆଜି ୪୦ ଦିନରେ ପହଞ୍ଚିଛି । ଏହି ଭୟଙ୍କର ଯୁଦ୍ଧରେ ରୁଷ ସୈନ୍ୟବାହିନୀର ଗୋଟିଏ ପରେ ଗୋଟିଏ ବର୍ବରତାର ଚିତ୍ର ସାମ୍ନାକୁ ଆସିବାର ଲାଗିଛି । ୟୁକ୍ରେନର ରାଜଧାନୀ କିଭ୍ ନିକଟରେ ଥିବା ବୁଚା ଅଞ୍ଚଳକୁ ରୁଷ କବଳରୁ ଉଦ୍ଧାର କରାଯାଇଛି ଏବଂ ଏଠାରେ ୪୧୦ ଟି ମୃତଦେହ ମିଳିଛି। ୟୁକ୍ରେନ ଅଭିଯୋଗ କରିଛି ଯେ ରୁଷ ସେନାର ଚେଚେନ୍ ସଂଗ୍ରାମୀମାନେ ବୁଚାରେ ଏକ “ଗଣହତ୍ୟା” କରିଛନ୍ତି। ବହୁଦିନ ପରେ ଯେବେ ୟୁକ୍ରେନ ସେନା ଏହି ଅଞ୍ଚଳରେ ପ୍ରବେଶ କଲେ, ‌‌ସେମାନେ ସବୁଆଡେ କୁଢ଼ କୁଢ଼ ମୃତଦେହ ପଡ଼ିଥିବା ଦେଖିଥଲେ | ଏହି ଶବଗୁଡ଼ିକର ହାତ ପଛପଟୁ ବନ୍ଧା ଯାଇଥିଲା, ଯେଉଁଥିପାଇଁ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବାର ସନ୍ଦେହ କରାଯାଉଛି | ଏହି ଅଭିଯୋଗକୁ ରୁଷ ଅସ୍ୱୀକାର କରିଛି, କିନ୍ତୁ ବୁଚାରେ ହୃଦୟ ବିଦାରକ ଦୃଶ୍ୟମାନ ଦେଖିବାକୁ ମିଳିଛି।

ରାସ୍ତାକଡ଼ରେ ନିସ୍ତେଜ ହୋଇ ପଡ଼ିଛନ୍ତି ବ୍ୟକ୍ତି। ତାଙ୍କ ଦୁଇ ହାତ ପଛ ପଟେ ବନ୍ଧା ହୋଇଥିବା ବେଳେ ମୁଣ୍ଡରେ ରହିଛି ଗୁଳିମାଡ଼ର ଚିହ୍ନ। ତାଙ୍କ ଦେହରେ ଆଉ ପ୍ରାଣ ନାହିଁ। ୟୁକ୍ରେନର ବୁଚା ସହରରୁ ଆସିଛି ଏପରି ବିଚଳିତ କରିବା ଭଳି ଫଟୋ। ବୁଚାର ଡେପୁଟି ମେୟର ତାରସ ଶାପ୍ରଭିସ୍କି କହିଛନ୍ତି, “ରୁଷ ସୈନ୍ୟ ଏଠାରୁ ଯିବା ପରେ ଶହଶହ ଶବ ମିଳିଛି। ଏହା ମଧ୍ୟରୁ ୫୦ ଜଣ ସାଧାରଣ ଲୋକଙ୍କ ରୁଷ ସେନା ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହା ଯୁଦ୍ଧ ଅପରାଧ। ରୁଷ ସେନା ବୁଚାରେ ଭିଆଇ ଥିବା କାଣ୍ଡର ଫଟୋ ଓ ଭିଡିଓ ମଧ୍ୟ ଜାରି କରାଯାଇଛି।”

ରବିବାର ଅନ୍ତର୍ଜାତୀୟ ଗଣମାଧ୍ୟମରେ ବୁଚା ସହରର ରାସ୍ତା କଡ଼ରେ ୩ ଜଣଙ୍କ ମୃତଦେହ କେମିତି ପଡ଼ିଥିଲା, ତା’ର ଫଟୋ ପ୍ରକାଶ କରାଯାଇଥିଲା। ଏହି ମୃତଦେହ ମଧ୍ୟରୁ ଜଣଙ୍କର ହାତ ଧଳା ବ୍ୟାଣ୍ଡରେ ପଛ ପଟେ ବନ୍ଧା ଯାଇଥିବା ବେଳେ ଆଉ ଦୁଇ ଜଣଙ୍କ ହାତ ବନ୍ଧା ଯାଇ ନାହିଁ। କିନ୍ତୁ ସମସ୍ତଙ୍କ ମୁଣ୍ଡରେ ଗୁଳିମାଡ଼ର ଚିହ୍ନ ରହିଛି। ଏମାନଙ୍କ ଶରୀରର ଆଉ କେଉଁ ସ୍ଥାନରେ ବି କ୍ଷତଚିହ୍ନ ନାହିଁ। ସମସ୍ତ ମୃତକ ପୁରୁଷ ଓ ସେମାନେ ସାଧାରଣ ଲୋକଙ୍କ ଭଳି ପୋଷାକ ପିନ୍ଧିଛନ୍ତି।

ବୁଚାରେ ଏତେ ସଂଖ୍ୟକ ମୃତଦେହ ମିଳିଛି ଯେ ସେମାନଙ୍କୁ ସମାଧି ଦେବା ପାଇଁ ୪୬ ଫୁଟ ଲମ୍ବର ଗାତ ଖୋଳିବାକୁ ପଡ଼ିଛି | କିଛି ମହିଳାଙ୍କ ଶବରେ ପୋଷାକ ନଥିବା କୁହାଯାଇଛି, ଯେଉଁଥିପାଇଁ ସେମାନଙ୍କ ସହ ପାଶବିକ ଅତ୍ୟାଚାର ହୋଇଥିବା ସନ୍ଦେହ ପ୍ରକାଶ ପାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କର ଜଣେ ସହଯୋଗୀ କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ଏପରି ମହିଳାଙ୍କ ଶବ ପାଇଛନ୍ତି ଯେଉଁ ମାନଙ୍କ ସହ ବଳାତ୍କାର ହୋଇଛି। ସେ କହିଛନ୍ତି ଯେ ବୁଚାରୁ ମିଳିଥିବା ଶବ ଗୁଡ଼ିକରେ ନିର୍ଯାତନାର କ୍ଷତ ଦେଖିବାକୁ ମିଳିଛି। ସେମାନଙ୍କ ହାତ ପଛପଟୁ ବନ୍ଧା ହୋଇଛି ଏବଂ ପଛରୁ ଗୁଳି କରାଯାଇଛି। ଜେଲେନସ୍କିଙ୍କ ମୁଖପାତ୍ର କହିଛନ୍ତି ଯେ ଏହାସବୁ ରୁଷ ସେନା ଦ୍ବାରା ହୋଇଥିବା ଯୁଦ୍ଧ ଅପରାଧ ପରି ଦେଖାଯାଉଛି।

Also Read  ୟୁକ୍ରେନ ପ୍ରସଙ୍ଗରେ ଫ୍ରାନ୍ସର ପରାମର୍ଶ: ଭାରତ ନିଜ ଆଭିମଖ୍ୟ ସ୍ପଷ୍ଟ କରୁ