ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକର ଆୟୋଜନ କରିଛନ୍ତି । ଏହି ବୈଠକରେ ଦଳର ଅନ୍ତରୀଣ କନ୍ଦଳ ଓ ଆଗାମୀ ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି । ହେଲେ ଏହି ବୈଠକକୁ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନିମନ୍ତ୍ରଣ କରାଯିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସଦ୍ୟ ସୂଚନା ମୁତାବକ ବୈଠକରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ଏ.କେ ଆଣ୍ଟୋନୀ, ଅମ୍ବିକା ସୋନୀ, ଜୟରାମ ରମେଶ, ମୁକୁଲ ବାସନିକ, ଦିଗବିଜୟ ସିଂ ଓ ଅଜୟ ମାକେନ ପହଂଚିସାରିଛନ୍ତି ।
ଗୁଜୁରାଟ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଏକ ବଡ଼ ଭୂମିକା ଦେଇପାରେ ବୋଲି ଗତ କିଛି ଦିନ ହେବ କଳ୍ପନାଜଳ୍ପନା ଚାଲିଛି। ଏହାପୂର୍ବରୁ ଏକ ସାକ୍ଷାତକାରରେ ପ୍ରଶାନ୍ତ ନିଜେ ନିଜର ରାଜନୈତିକ ଭବିଷ୍ୟତ ବିଷୟରେ ଏକ ବଡ଼ ଘୋଷଣା କରିବା ବିଷୟରେ କହିଥିଲେ।
ସେପଟେ କିଛିଦିନ ତଳେ ପ୍ରଶାନ୍ତ କିଶୋର ଏକ ବୟାନରେ କହିଥିଲେ କି, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଏତେ ସହଜ ନୁହେଁ । ଯଦି ଠିକ ସମୟରେ ଠିକ ରଣନୀତି ପ୍ରସ୍ତୁତ କରି ବିରୋଧୀମାନେ ନିର୍ବାଚନୀ ମଇଦାନକୁ ଓହ୍ଳାଇବେ ତେବେ କେନ୍ଦ୍ରରେ ଏକ ମଜବୁତ ବିରୋଧୀ ଦଳ ଆଗକୁ ଆସିପାରିବ ।

























