ସିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ଆଶ୍ବସ୍ଥି, ୧୧ ଜୁଲାଇ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହୋଇପାରିବେନି ବିଦ୍ରୋହୀ ବିଧାୟକ

0
345

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଜାରି ରାଜନୈତିକ ବିବାଦ ପ୍ରସଙ୍ଗରେ ଏବେ ବିଦ୍ରୋହୀ ବିଧାୟକଙ୍କୁ ମିଳିଛି ଆଶ୍ବସ୍ଥି। ଏକନାଥ ସିନ୍ଦେଙ୍କ ଗୋଷ୍ଠୀ କରିଥିବା ଆବେଦନ ଉପରେ ସୋମବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ରାୟ ପରେ ମହାରାଷ୍ଟ୍ରର ଉପବାଚସ୍ପତିଙ୍କୁ ଲାଗିଛି ଝଟକା। ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ନୋଟିସ୍‌ ଉପରେ ରୋକ ଲଗାଇଛନ୍ତି। ଏହା ସହ ନୋଟିସ୍ ଉପରେ ଜବାବ୍ ଦେବାକୁ ବିଧାୟକଙ୍କୁ ୧୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ସେହି ସମୟ ଭିତରେ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିହେବନି କିମ୍ବା କୌଣସି ଆକ୍ସନ ନିଆଯିବନି। ଏହି ମାମଲାରେ କୋର୍ଟ ସବୁ ପକ୍ଷକୁ ନୋଟିସ ଜାରି କରି ୫ ଦିନ ମଧ୍ୟରେ ଜବାବ୍ ମାଗିଛନ୍ତି। ଉଲ୍ଲେଖନୀୟ ଯେ,୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଉପବାଚସ୍ପତି ଜାରି କରିଥିବା ନୋଟିସ୍‌ ଉପରେ ସୋମବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଜବାବ ଦେବାର ଥିଲା। ଉପବାଚସ୍ପତିଙ୍କ ନୋଟିସ୍ ଉପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରୋକ ଲଗାଇବା ସହ ମାମଲାର ପରବର୍ତ୍ତୀ ଶୁଣାଣି ୧୧ ଜୁଲାଇରେ ହେବ ବୋଲି କହିଛନ୍ତି।

ଏହା ସହ ଏକନାଥ ସିନ୍ଦେଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ସମେତ ମହାରାଷ୍ଟ୍ର ବିଧାନସଭା ସଚିବ, କେନ୍ଦ୍ର ତଥା ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି । କୋର୍ଟ ଉପବାଚସ୍ପତିଙ୍କୁ ପଚାରିଛନ୍ତି, ଯେତେବେଳେ ବିଦ୍ରୋହୀ ବିଧାୟକ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ନୋଟିସ୍ ଦେଇଥିଲେ ସେତେବେଳେ ଉପ-ବାଚସ୍ପତି ଗୃହରେ ଏହାକୁ ନରଖି କିପରି ଖାରଜ୍ କଲେ? କୋର୍ଟରେ ବିଦ୍ରୋହୀ ବିଧାୟକମାନେ କହିଥିଲେ, ଉପ-ବାଚସ୍ପତିଙ୍କ ଭୂମିକା ଖୁବ୍ ସନ୍ଦିଗ୍ଧ। ଏଭଳି ସ୍ଥିତିରେ ସେ କିପରି ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ନୋଟିସ୍ ଜାରି କରିପାରିବେ?

Also Read  ନିରାଶ କଲା ଭାରତୀୟ ପୁରୁଷ ହକି ଦଳ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ଠାରୁ ୭-୦ରେ ହାରି ରୌପ୍ୟରେ ସନ୍ତୁଷ୍ଟ