ରାମପୁର : ଉତ୍ତର ପ୍ରଦେଶ ରାମପୁର ଲୋକସଭା ଉପନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ସମାଜବାଦୀ ପାର୍ଟିର ଗଡ କୁହାଯାଉଥିବା ରାମପୁରରେ ଧସେଇପଶିଛି ବିଜେପି । ଅର୍ଥାତ ଦିନେ ସପାର ଫାୟାରବ୍ରାଣ୍ଡ ଲିଡର ଆଜମ ଖାନଙ୍କ ଗଡ କୁହାଯାଉଥିବା ରାମପୁର ଲୋକସଭା କ୍ଷେତ୍ରରେ ବାଜିମାତ୍ କରିଛି ବିଜେପି । ସେଠାରେ ଭାରତୀୟ ଜନତା ପାର୍ଟି ଘନଶ୍ୟାମ ଲୋଧେ ୪୨,୦୪୮ ଭୋଟରେ ବିପୁଳ ବିଜୟ ହାସଲ କରିଛନ୍ତି । ସମାଜବାଦୀ ପାର୍ଟି ନେତା ଆଜମ ଖାନ ପ୍ରାର୍ଥୀ କରିଥିବା ଅସୀମ ରଜା ପରାଜିତ ହୋଇଛନ୍ତି ।
୨୦୧୯ ଲୋକସଭା ନିର୍ବାଚନରେ ସେଠାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ବିଜୟୀ ହୋଇଥିଲେ । ଏହା ପରେ ୨୦୨୨ ବିଧାନସଭା ନିର୍ବାଚନରେ ଆଜମ ଖାନ ଏଠାରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ବିଧାୟକ ହେବାପରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆଜମ ଖାନ । ଏହାପରେ ଏବେ ସେଠାରେ ଲୋକସଭା ଉପନିର୍ବାଚନ ହୋଇଥିଲା । ଦୁଇ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହି ଫେରିଥିବା ଆଜମ ଖାନ ନିଜ ସମର୍ଥକ ଅସୀମ ରଜାଙ୍କୁ ଏହି ସିଟ୍ରୁ ପ୍ରାର୍ଥୀ କରାଇଥିଲେ ।
ବିଜୟୀ ହୋଇଥିବା ଘନଶ୍ୟାମ ଲୋଧୀ ୨୦୨୨ରେ ହିଁ ବିଜେପିରେ ଯୋଗଦେଇଥିଲେ । ଲୋଧୀ ମଧ୍ୟ ଏକ ସମୟରେ ଆଜମ ଖାନଙ୍କର ବେଶ ନିକଟତର ଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ମଧ୍ୟ ଖୁବ ନିକଟତର ଥିଲେ । ୨୦୦୪ ମସିହା ଏମଏଲସି ନିର୍ବାଚନ ସମୟରେ କଲ୍ୟାଣ ସିଂହଙ୍କ ରାଷ୍ଟ୍ରୀୟ କ୍ରାନ୍ତି ଦଳ ଏବଂ ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି ମେଣ୍ଟରେ ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ ।