ଭୁବନେଶ୍ୱର: ସୁରେଶ ରାଉତରାୟ ଓରଫ୍ ସୁର ରାଉତ ରାୟ, କଂଗ୍ରେସର ଏହି ପୁରୁଖା ନେତାଙ୍କ ବୟାନ ସୋଶିଆଲ ମିଡିଆରେ ପ୍ରତିଦିନ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟେ । ଏହାରି ଭିତରେ ରବିବାର ଜୟଦେବ ଭବନ ନିକଟରେ ସେ ଏକ ବୟାନ ରଖିଛନ୍ତି । ଯାହା ସୁରଙ୍କ ସ୍ୱର ବଦଳିଗଲାଣି ଭଳି ମନେ ହେଉଛି । କଂଗ୍ରେସ ଭଲ, କଂଗ୍ରେସ କମିଙ୍ଗ, କଂଗ୍ରେସ ଭଳି ଦଳ ନାହିଁ ବୋଲି କହୁଥିବା ଏହି ନେତା କହିଛନ୍ତି, ଜାତୀୟ ଦଳକୁ ଭୋଟ୍ ଦିଅନ୍ତୁ ନାହିଁ ।
୨୦୧୯ ବିଧାନସଭା ନିର୍ବାଚନ ବେଳେ ଅନ୍ତିମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ବୋଲି କହୁଥିବା ଏହି ନେତାଙ୍କର ଏପରି ବୟାନ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । କାରଣ ନିକଟରେ ସୁର ରାଉତରାୟଙ୍କ ପୁଅ ନିକଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେହିପରି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଜଟଣୀରେ କଂଗ୍ରେସ ଯେଉଁଭଳି ପ୍ରଦର୍ଶନ କରିଛି ତାହା ସୁରେଶ ରାଉତରାୟଙ୍କ ନେତୃତ୍ୱ ପଛରେ କୌଣସି ଗୁପ୍ତ ବଝାମଣା ରହିଛି ବୋଲି ଇଙ୍ଗିତ କରିଛି ।
ସୁର ରାଉତରାୟ କହିଛନ୍ତି, ଜାତୀୟ ଦଳ ତୁଳନାରେ ଆଞ୍ଚଳିକ ଦଳ ନିଜ ରାଜ୍ୟ ପାଇଁ ଅଧିକ ଭଲ କାମ କରୁଛନ୍ତି । ତେଣୁ ଆଞ୍ଚଳିକ ଦଳକୁ ଭୋଚ୍ ଦେବା ଠିକ୍ ବୋଲି ଏହି ଜାତୀୟ ଦଳର ନେତା କହିଛନ୍ତି । ଏଥିପାଇଁ ସେ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଦିଲ୍ଲୀ ଏବଂ ପଞ୍ଜାବର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ଓଡିଶାରେ ବିଜେଡି କ୍ଷମତାରେ ରହିଛି । ଦୀର୍ଘ ୨୨ ବର୍ଷ ହେବ ବିଜେଡି ଏଠାରେ କ୍ଷମତା ରହିଛି । ରାଜ୍ୟରେ ବିଜେପି ଏବଂ କଂଗ୍ରେସ ଭଳି ଜାତୀୟ ଦଳ ରହିଛି ।
କିନ୍ତୁ ଲୋକେ ଏଠାରେ ଆଞ୍ଚଳିକ ଦଳକୁ ଗୁରୁତ୍ୱ ଦେଉଛନ୍ତି । ସେହିପରି ଦିଲ୍ଲୀ ଏବଂ ପଞ୍ଜାବରେ ଜାତୀୟ ଦଳଙ୍କର ପତିଆରା ରହିଛି । ହେଲେ ଏହାପରେ ବି ଏଠାରେ ଆମ୍ ଆଦମୀ ପାର୍ଟି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି କହିଛନ୍ତି। ସେହିପରି ପଶ୍ଚିମବଙ୍ଗରେ ଜାତୀୟ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରି ଆଞ୍ଚଳିକ ଦଳ ଟିଏମସିକୁ କ୍ଷମତାରେ ବସାଇଛନ୍ତି ବୋଲି ସୁର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜଟଣୀରେ ଏବେ ବି ଲୋକପ୍ରିୟ ବ୍ୟକ୍ତି ଭାବେ ସୁର ରାଉତ ରାୟ । ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କର ଅତି ପ୍ରିୟ ।
ସେ ରାଜନୀତିରୁ ଅବସର ନେଇ ତାଙ୍କ ପୁଅଙ୍କୁ ଆଗକୁ ବଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସୁରଙ୍କ ପୁଅମାନେ ବେଶ ଉଚ୍ଚ ଶିକ୍ଷିତ । କିନ୍ତୁ କଂଗ୍ରେସ ଭଳି ଦଳରେ ଆଉ ତାଙ୍କ ପୁଅ ମାନେ ଟିକେଟ୍ ପାଇ ଆଗକୁ ବଢିବା କଷ୍ଟକର ବୋଲି ସୁରେଶ ବୁଝିସାରିଛନ୍ତି । ତେଣୁ ତାଙ୍କ ପୁଅଙ୍କୁ ବିଜେଡିରେ ସାମିଲ କରାଇବାକୁ ଲକ୍ଷ୍ୟ ରଖିଛନ୍ତି । ଆଉ ନିଜର ବିଧାୟକ କାର୍ୟ୍ୟକାଳ ଶେଷ ହେଲେ ରାଜନୀତିରୁ ଅବସର ନେଇ ପୁଅକୁ ବିଜେଡିରେ ସାମିଲ କରାଇବେ ବୋଲି ସୂଚନା ରହିଛି ।
ନିକଟରେ ହୋଇଥିବା ପୌର ଏବଂ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଏଠାରେ ନୌରାଶ୍ୟଜନକ ରହିଛି । ସୁର ରାଉତରାୟ ପ୍ରଚାର ନକରିବାରୁ ଏବଂ ଠିକ୍ ଭାବେ ନେତୃତ୍ବ ନନେବାରୁ ଜଟଣୀ ପୌର ଆସନ ପ୍ରଥମ ଥର ପାଇଁ ବିଜେଡି ହାତକୁ ଯାଇଛି। ଏପରି ଫଳାଫଳ ହେବା ପଛରେ ସୁରଙ୍କର ଗୋଟିଏ ଗୁପ୍ତ ବୁଝାମଣା ରହିଛି ବୋଲି କୁହାଯାଉଛି। ସୁର ରାଉତରାୟ କେବେ କଂଗ୍ରେସ ବିରୋଧରେ କୁହନ୍ତି ନାହିଁ ।
କିନ୍ତୁ ଯିଏ ଭଲ କରେ ତାଙ୍କୁ ପ୍ରଶାଂସ କରିବାକୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେ ମୋଦୀ ହୁଅନ୍ତୁ ଅବା ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ । ସେହିପରି ସେ ବିଜେଡିର ଛାମୁଆ ନେତାଙ୍କୁ ମଧ୍ୟ ଉଚ୍ଛସିତ ପ୍ରଶଂସା କରିଥିବା ଦେଖୁବାକୁ ମିିଳିଛି । ତେଣୁ ରବିବାର ଜୟଦେବ ଭବନ ନିକଟରେ ସୁର ରାଉତ ରାୟ ଯେଉଁ ବୟାନ ରଖିଛନ୍ତି ତାହା ନିଜ ଦଳର ଅସ୍ଥିତ୍ୱକୁ ଦେଖି ଦେଇଛନ୍ତି । ଆଉ ସେ ପରବର୍ତ୍ତୀ ସମୟରେ ବିଜେଡି ଆଡ଼କୁ ଢଳିପାରନ୍ତିନି ।