ଶ୍ରୀଲଙ୍କାର ବିଭିନ୍ନ ସହରରେ ହିଂସାକାଣ୍ଡ ଓ ଲୁଟତରାଜ ଜାରି, ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

0
205

କଲମ୍ବୋ : ଶ୍ରୀଲଙ୍କାରେ ସରକାର ବିରୋଧୀ ହିଂସାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏହା ସହିତ ଆହତଙ୍କ ସଂଖ୍ୟା ୨୧୭କୁ ବୃଦ୍ଧି ପାଇଛି । ସାରା ଦେଶରେ ହିଂସାକାଣ୍ଡ ଓ ବିକ୍ଷୋଭ ଜାରି ରହିଛି । ଶ୍ରୀଲଙ୍କାରେ ଶାସକ ସମର୍ଥିତ ଗୋଷ୍ଠୀ ଓ ସରକାର ବିରୋଧୀ ଲୋକମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ଅନ୍ୟପକ୍ଷରେ ଦେଶରେ ଖାଦ୍ୟ,ଇନ୍ଧନ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ପ୍ରବଳ ଅଭାବ ଦେଖାଦେଇଥିବାରୁ ଲୋକମାନେ ଲୁଟତରାଜ ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାରଦିନ କଲମ୍ବୋର ଆର୍ମର ଷ୍ଟ୍ରିଟଠାରେ ଏକ ଏଲପିଜି ବୋଝେଇ ଲରିକୁ କେତେକ ଲୋକ ଲୁଟି ନେଇଛନ୍ତି ।

ଲରିରେ ଥିବା ପ୍ରାୟ ୫୦ଟି ସିଲିଣ୍ଡର ଲୁଟ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ନିଜ ସ୍ବାଧୀନତା ପରର ସବୁଠାରୁ ଖରାପ ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ଜନଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଗତ ସୋମବାରଦିନ ରାଷ୍ଟ୍ରପତି ଭବନ ବାହାରେ କିଛି ଲୋକ ଆନ୍ଦୋଳନ କରୁଥିବାବେଳେ ସରକାର ସପକ୍ଷବାଦୀ ଲୋକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ଆନ୍ଦୋଳନକାରୀ ଆହତ ହୋଇଥିଲେ ।

ଏହା ସହିତ ଶାସକ ଦଳ ସମର୍ଥିତ ଶ୍ରୀଲଙ୍କା ପିପୁଲ୍ସ ଫ୍ରଣ୍ଟର ଜଣେ ସାଂସଦ ଅମରକିର୍ତ୍ତୀ ଅତୁକୋରାଲା ଜଣକୁ ଗୁଳିକରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିଲେ । ବିକ୍ଷୋଭକାରୀଙ୍କ ଆକ୍ରମଣରେ ଆଉ ଜଣେ ସାଂସଦ ଆହତ ହୋଇଛନ୍ତି । ସେହିପରି ସୋମବାର ରାତିରେ କେତେକ ଲୋକ ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ଘରେ ନିଆଁ ଲଗାଇଦେଇଥିଲେ । ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ସରକାର ସାରା ଦେଶରେ କର୍ଫ୍ୟୁ ଲଗାଇଦେଇଛନ୍ତି । ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି ।

Also Read  ମହଙ୍ଗା ପଡିଲା ଦାନ୍ତ ଅସ୍ତ୍ରୋପଚାର: ବିଗିଡିଗଲା ଅଭିନେତ୍ରୀଙ୍କ ଚେହେରା

LEAVE A REPLY

Please enter your comment!
Please enter your name here