ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ: ସଞ୍ଜୟ ରାଉତ

0
370

ମୁମ୍ବାଇ: ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ ବୋଲି ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ବାସଭବନ ଚଢ଼ାଉ କରିବା ପରେ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଆଜି ସକାଳେ ମରାଠୀ ଭାଷାରେ ଟୁଇଟ୍‌ କରି ସଞ୍ଜୟ ଲେଖିଛନ୍ତି: କ‌ୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ‘ଶିବସେନା’ ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ରାଣ ଖାଇ ମୁଁ ଏକଥା କହୁଛି। ବାଲାସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ। ମୁଁ ‘ଶିବସେନା’ ପାଇଁ ଲଢ଼ିବି। ଅକାରଣ କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ। ମୁଁ ‘ଶିବସେନା’ ଛାଡ଼ିବି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।

ଜୁଲାଇ ୨୦ ଏବଂ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ଆସିଥିବା ସମନ୍‌ ଏଡ଼ାଇବା ପରେ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତକାରୀ ଟିମ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଜେରା କରିବାକୁ ଚାହୁଁଛି। କିନ୍ତୁ, ‘ଶିବସେନା’ର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଘନିଷ୍ଠ ସହଯୋଗୀ ରାଉତ କୌଣସି ଦୁର୍ନୀତି କରିନାହାନ୍ତି ବୋଲି କହିବା ସହ ଉପରୋକ୍ତ ଚଢ଼ାଉ ରାଜନୈତିକ ପ୍ରତିଶୋଧ ପ୍ରଣୋଦିତ ବୋଲି କହିଛନ୍ତି।

ସେପଟେ, ‘ବିଜେପି’ ସାଂସଦ ରାମ କଦମ ପଚାରିଛନ୍ତି ଯେ, ‘ଶିବସେନା’ ନେତା କାହିଁକି ସମନ୍‌ ଏଡ଼ାଉଛନ୍ତି। ସେ କହିଛନ୍ତି, ଯଦି ସେ ନିର୍ଦୋଷ ତେବେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଭୟ କରୁଛନ୍ତି କାହିଁକି? ସାମ୍ବାଦିକ ସମ୍ମିଳନୀ କରିବା ଲାଗି ତାଙ୍କ ପାଖରେ ସମୟ ଅଛି କିନ୍ତୁ, ଜେରା ପାଇଁ ତଦନ୍ତକାରୀ ଏଜେନ୍‌ସିଙ୍କ ପାଖକୁ ଯିବାକୁ ସମୟ ନାହିଁ।

Also Read  ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ