ଥୋପ ଦେଇ ଯୁବତୀଙ୍କୁ ଖୋଳ କରିଦେଲେ

0
754
ଖୋଳ କରିଦେଇଛି ସାଇବର ଠକ
ଖୋଳ କରିଦେଇଛି ସାଇବର ଠକ

ବୀରମିତ୍ରପୁର : ମିଠା ମିଠା କଥା କହି ଯୁବତୀଙ୍କୁ ଥୋପ ଦେଇଥିଲା ସାଇବର ଠକ୍‌। ହେଲେ ବୁଝିପାରିନଥିଲେ ଯୁବତୀ ଜଣକ। ଅନାୟସ୍‌ରେ ଫସି ଯାଇଥିଲେ ସାଇବର ଠକର ଜାଲରେ। ଆଉ ତା’ପରେ ଯୁବତୀଙ୍କୁ ଖୋଳ କରିଦେଇଛି ସାଇବର ଠକ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍‌ କଚାରୁ ପଞ୍ଚାୟତରେ ଘଟିଛି। ଏନେଇ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଗତ ୭ ତାରିଖରେ ସିଆରଜୋର୍‌ ଗାଁର ସାନୀଆ ସିଂଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ଏକ ମେସେଜ ଆସିଥିଲା। ସେହି ମେସେଜ୍‌ରେ କେବିସି ନାଁରେ ଏକ ଫଟୋ ସହ ଭିଡ଼ିଓ ପଠା ଆସିଥିଲା। ସାନୀଆ ସେହି ମେସେଜ୍‌ ଦେଖିଥିଲେ। ପରେ ସେହି ହ୍ୱାଟ୍ସଆପ୍‌ ନମ୍ୱରରେ ଫୋନ୍‌ କରିଥିଲେ। କଥାବାର୍ତ୍ତା ଛଳରେ ସେ ୨୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କୁହାଯାଇଥିଲା। ଜିତିଥିବା ଲଟେରି ଟଙ୍କା ନେବା ପାଇଁ ହେଲେ ୧୨,୫୦୦ ଟଙ୍କା ପଠାଇବାକୁ କୁହାଯାଇଥିଲା।

୨୫ ଲକ୍ଷ ଟଙ୍କା ପାଇବା ଲୋଭରେ ସାନୀଆ ଗୁଗଲ୍‌ ପେ’ ମାଧ୍ୟମରେ ୧୨,୫୦୦ ଟଙ୍କା ପଠେଇ ଥିଲେ। ପରବର୍ତ୍ତୀ ସମୟରେ ସାନୀଆଙ୍କୁ ପୁଣି ଏକ ମେସେଜ୍‌ ଓ ହ୍ୱାଟ୍ସଆପ୍‌ରେ କଲ୍‌ କରାଯାଇ ଥିଲା। ଆହୁରି ୨୫ ହଜାର ଟଙ୍କା ପଠାଇବାକୁ କୁହାଯାଇଥିଲା। ଏହାରି ଭିତରେ ସାନୀଆ ଅଜାଣତରେ ସାଇବର ଠକଙ୍କ ଜାଲରେ ଫସି ଯାଇଥିଲେ। ସେତେବେଳେ ସେ କିଛି ବୁଝି ପାରିନଥିଲେ। ୩୭,୫୦୦ ଟଙ୍କା ପଠାଇବା ପରେ ସାଇବର ଠକ ପୁଣି ଥରେ ସାନୀଆଙ୍କୁ ଆହୁରି ଟଙ୍କା ମାଗିବା ପାଇଁ ଆରମ୍ଭ କରିଥିଲା।

ସାଇବର ଠକ ବାରମ୍ୱାର ଟଙ୍କା ମାଗିବାରୁ ସାନୀଆଙ୍କ ମନରେ ସନ୍ଦେହ ଉପୁଜିଥିଲା। ସାନୀଆ ଲୁଟେରାଙ୍କୁ ହ୍ୱାଟ୍ସଆପ୍‌ରେ କଲ୍‌ କରି ପଚାରି ଥିଲେ ଆଉ ଟଙ୍କା ଲାଗିବ ନାହିଁ ତ? ଏହାର ଜବାବରେ ଲୁଟେରା ଚତୁରତାର ସହ କହିଥିଲା, ଲଟେରି ବାବଦକୁ ମିଳିବାର ଥିବା ୨୫ ଲକ୍ଷ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଯିବ। ସେଥି ଆପଣଙ୍କୁ ଆଇଟି ରିଟର୍ଣ୍ଣ ବାବଦକୁ ଆହୁରି ୭୫ ହଜାର ଟଙ୍କା ଦେବାକୁ ପଡ଼ିବ। ଏକଥା ଶୁଣିବା ପରେ ସାନୀଆ ଡ଼ରି ଯାଇଥିଲେ। ଆଉ ବିକଳରେ ସାନୀଆ କହିଥିଲେ, ମୋର ଟଙ୍କା ଦରକାର ନାହିଁ। ମୋଠାରୁ ନେଇଥିବା ସବୁ ଟଙ୍କା ମୋତେ ଫେରେଇ ଦିଅ?ଏ ନେଇ ସାନୀଆ ସିଂହ ରାଉରକେଲା ସ୍ଥିତ ସାଇବର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Also Read  Majhi says medical colleges and hospitals will be established in all districts of the state in next five years