ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର୍‌ ମାରି ପୁଲିସ ଦିଲ୍ଲୀ ସରକାରଙ୍କ କାର୍ଯ୍ୟକ୍ରମକୁ ‘ହାଇଜାକ୍‌’ କରିଛି: ଆପ୍‌

0
419

ନୂଆଦିଲ୍ଲୀ: ଶନିବାର ଦନ ପୁଲିସ ପଠାଇ କେନ୍ଦ୍ର ସରକାର ‘ଆସୋଲା ବନ୍ୟପ୍ରାଣୀ ଅଭୟାରଣ୍ୟ’ରେ ଦିଲ୍ଲୀ ସରକାର ଆରମ୍ଭ କରିଥିବା ଏକ କାର୍ଯ୍ୟକ୍ରମକୁ ‘ହାଇଜାକ୍‌’ କରିଛି ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଗତରାତିରେ ‘ବନ ମହୋତ୍ସବ’ ଉତ୍ସବସ୍ଥଳୀରେ ପୋଷ୍ଟର୍‌ ଲାଗିସାରିଥିଲେ ବି ପୁଲିସ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର୍‌ ଲଗାଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ନଷ୍ଟ କରିଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଥିବା କଥା ରାୟ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଥିବା ଏହି ପୋଷ୍ଟର୍‌/ବ୍ୟାନର୍‌ଗୁଡ଼ିକୁ ନ ହଟାଇବାକୁ ମଧ୍ୟ ଦିଲ୍ଲୀ ପୁଲିସ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍‌ସେନ୍‌ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଯୋଗ ଦେଇଥାଆନ୍ତେ। ଏଥିପାଇଁ ସବୁ ବ୍ୟବସ୍ଥା ଶେଷ ହୋଇଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଏଥିରେ ଯୋଗ ଦେବେ ନାହିଁ।

ଗୋପାଳ ରାୟ ଆହୁରି ମଧ୍ୟ କହିଛନ୍ତି, ଆମେ ବିବାଦ କରିବାକୁ ଚାହୁଁନାହୁଁ, କିନ୍ତୁ ସରକାରୀ କାର୍ଯ୍ୟକ୍ରମକୁ ରାଜନୀତିକରଣ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ମୁଁ ସେଥିରେ ଯୋଗ ଦେବୁନାହିଁ। ଉଲ୍ଲେଖଯୋଗ୍ୟ, ଜୁଲାଇ ୧୧ ତାରିଖରୁ ଦିଲ୍ଲୀରେ ‘ବନ ମହୋତ୍ସବ’ କାର୍ଯ୍ୟକ୍ରମ ଚାଲୁ ରହିଛି। ଆଜି ହେଉଛି ଉକ୍ତ ମହୋତ୍ସବର ଅନ୍ତିମ ଦିବସ।

Also Read  ମଝି ଚିଲିକାରେ ଅଟକିଲା ଭସାପୋଲ : ୧୫୦ଯାତ୍ରୀ ଓ ୨ଟି ବସ୍ ଫସିରହିଛି