ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ-ଧର୍ମେନ୍ଦ୍ର ପ୍ରଧାନ

0
821
ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ-ଧର୍ମେନ୍ଦ୍ର ପ୍ରଧାନ
ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମେ ୧୦:   ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା । ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ ବୋଲି ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଉତ୍କର୍ଷ ମହୋତ୍ସବ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ସମସ୍ତ ଭାଷା ଗୁଡ଼ିକ ଶ୍ରେଷ୍ଠ । ଭାରତୀୟ ଭାଷାର ବିବିଧତା ମଧ୍ୟରେ ଯେଉଁ ଏକତା ଅଛି ସେଥିରେ ସଂସ୍କୃତର ବହୁତ ବଡ଼ ଯୋଗଦାନ ରହିଛି । ସଂସ୍କୃତ ଭାଷାର ମହତ୍ୱ କଣ ଏହା ଆମକୁ ବୁଝିବାକୁ ହେବ । ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା ।

ଚୀନ ପରିବ୍ରାଜକ ହୁଏନସାଂ ଭାରତ ଭ୍ରମଣରେ ଆସିଥିବା ବେଳେ ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ସଂସ୍କୃତରେ ଲିଖିତ ଏକାଧିକ ଭାରତୀୟ ଗ୍ରନ୍ଥାବଳୀ ସାଙ୍ଗରେ ନେଇ ଚୀନ ପ୍ରତ୍ୟାବର୍ତନ କରିଥିଲେ । ସେ ସମୟର ଗ୍ରନ୍ଥାବଳୀରୁ ସଂସ୍କୃତ ଭାଷାର ମହତ୍ୱ କେତେ ଥିଲା ଏ ସବୁରୁ ଜଣାପଡ଼େ । ସେହିପରି ଆଜିର ଦିନରେ ରାଇସିନିଆ ଡ଼ାଇଲୋଗକୁ ବିଚାର କଲେ ସଂସ୍କୃତର ସହଜତା ଓ ଆଧୁନିକତା ଏବଂ ବୈଜ୍ଞାନିକ ପୃଷ୍ଠଭୂମିର କୌଣସି ପ୍ରମାଣର ଆବଶ୍ୟକତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ବେଦର ଭାଷା ସଂସ୍କୃତର ବୈଜ୍ଞାନିକତା, ପୁନରୁଦ୍ଧାର, ସଂସ୍କୃତ ସହ ଜଡ଼ିତ ଭାରତୀୟତାର ପରିଚୟ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସଭ୍ୟତାକୁ ଅବଲୋକନ କଲେ ଆମ ସମାଜ ସଂସ୍କୃତି ସମ୍ପନ୍ନ, ଭୌତିକ ସମ୍ପନ୍ନ ତଥା ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗଭୀରତା ବୁଝାପଡ଼େ ।

ଆମର ସଭ୍ୟତାକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଆଗକୁ ନେବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି । ଏକବିଂଶ ଶତାବ୍ଦୀରେ ଭାରତକୁ ଆତ୍ମନିର୍ଭର କରିବା ଏବଂ ବିଶ୍ୱ କଲ୍ୟାଣର ମାର୍ଗ ପ୍ରଶସ୍ତ କରିବା ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥା କିଭଳି ହେବା ଦରକାର ସେ ନେଇ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରି ମହାନ ଅନୁଷ୍ଠାନ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଦରକାର । ଆମର ପୁଞ୍ଜି ହେଉଛି ଜ୍ଞାନ, ଶିକ୍ଷା, ମାନବିକତା ଏବଂ ବୌଦ୍ଧିକ କ୍ଷମତା । ଏ ସବୁର ଉପଯୋଗ କରି ଭାରତ ଓ ବିଶ୍ୱ କଲ୍ୟାଣରେ ବ୍ରତୀ ହେବା ଦରକାର ।

Also Read  Union Minister Dharmendra Pradhan tests COVID Positive

ବର୍ତମାନ ସମୟରେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)ର କ୍ରିୟାନ୍ୱୟନ ହେଉଛି । ଶିକ୍ଷା ନୀତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଔପନିବେଶୀକରଣର ଆଧିପତ୍ୟକୁ ସମାପ୍ତ କରି ଭାରତୀୟତା ଆଧାରିତ ଶିକ୍ଷା ବ୍ୟବସ୍ଥା କରିବା ଏବଂ ଭାରତୀୟ ଜ୍ଞାନ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଛି ।

ରାଷ୍ଟ୍ରୀୟ ଶିକ୍ଷା ନୀତିର ପରିକଳ୍ପନାରେ ଆମକୁ ସଂସ୍କୃତ ସମେତ ସମସ୍ତ ଭାରତୀୟ ଭାଷାକୁ ପ୍ରଧାନ୍ୟ ଦେବାକୁ ହେବ । ଏହାବ୍ୟତିତ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୩ ବର୍ଷରୁ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବାଲବାଟିକା ଗୁଡ଼ିକରେ ଗୁଣାତ୍ମକ, ନିପୁଣ ଭାରତ, ବିଦ୍ୟା ପ୍ରବେଶ, ପରୀକ୍ଷାରେ ସଂସ୍କାର ଏବଂ କଳାସହ ସମନ୍ୱିତ ଶିକ୍ଷା, ଖେଳନା ଆଧାରିତ ଶିକ୍ଷା ପ୍ରଦାନ ଭଳି ଅଭିନବ ଶିକ୍ଷାଦାନ ବ୍ୟବସ୍ଥା କ୍ରିୟାନ୍ୱୟନ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।