୭ରୁ ଖୋଲିବ ସ୍କୁଲ-କଲେଜ : ୧୪ରୁ ପ୍ରଥମରୁ ସପ୍ତମ ପାଠପଢ଼ା

0
926
ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ ବିସ୍ତୃତ ଯୋଜନା
ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ ବିସ୍ତୃତ ଯୋଜନା

ଭୁବନେଶ୍ବର: ଚଳିତ ମାସ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରୁ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ। ଏଥି ସହିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମତେ ଅନ୍ୟାନ୍ୟ ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ। ସେହିଭଳି କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବ୍ରୁଆରି ୧୪ ତାରିଖ ଠାରୁ ଅଫ୍‌ଲାଇନ୍‌ କ୍ଲାସ ହେବ। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏହା କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ପାଠ ପଢ଼ିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ। ସେମାନେ ଚାହିଁଲେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ର ବିକଳ୍ପ ବାଛି ପାରିବେ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, କରୋନା ଯୋଗୁଁ ବିଗତ ୨ ବର୍ଷ ହେବ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବିଶେଷ ଭାବରେ ଛୋଟ ପିଲାମାନେ ଦୀର୍ଘ ୨ ବର୍ଷ ହେଲା ସ୍କୁଲ ଯାଇପାରିନାହାନ୍ତି। ଦ୍ବିତୀୟ ଲହର ପରେ ରାଜ୍ୟ ସରକାର ୬ଷ୍ଠରୁ ଉପର ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ-କଲେଜ ଖୋଲିଥିଲେ। କିନ୍ତୁ ଏଥିରେ କରୋନାର ୩ୟ ଲହର ଦାଉ ସାଜିଥିଲା। ତେଣୁ ଗତମାସ ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

ଶ୍ରୀ ମହାପାତ୍ର କହିଛନ୍ତି, ଏବେ କରୋନାର ୩ୟ ଲହରର ପ୍ରଭାବ କମିଛି। ଏହି ଲହରରେ ହସ୍‌ପିଟାଲରେ ଲୋକେ କମ ସଂଖ୍ୟାରେ ଭର୍ତ୍ତି ହେଉଛନ୍ତି। ଏବେ ଏହା ନିୟନ୍ତ୍ରଣକୁ ଆସିଛି। ବର୍ତ୍ତମାନ ପଜିଟିଭିଟି ହାର କମ୍‌ ରହୁଛି। ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯାଉଛି। ତେବେ ସଂକ୍ରମଣ ହ୍ରାସ ପାଇଥିବାରୁ ବିଭିନ୍ନ ମହଲରୁ ସ୍କୁଲ ଖୋଲିବା ନେଇ ଦାବି ହୋଇ ଆସୁଥିଲା। ଛାତ୍ରଛାତ୍ରୀମାନଙ୍କ ବୃହତ୍ତ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ-କଲେଜ ଗୁଡ଼ିକ ପୁଣି ଥରେ ଖୋଲୁଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଆସନ୍ତା ୭ତାରିଖ ଠାରୁ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଖୋଲିବା ସହିତ ସମସ୍ତ ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲାଯିବ। ଏଥି ସହିତ ବିଭିନ୍ନ ବିଭାଗରେ ଦିଆଯାଉଥିବା ଶିକ୍ଷାଭିତ୍ତିକ ତାଲିମକୁ ମଧ୍ୟ ଅନୁମତି ମିଳିବ। କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ଗତମାସ ୧୦ ତାରିଖ ଠାରୁ ବନ୍ଦ ରହିଛି। ପୂର୍ବରୁ ଥିବା ଗାଇଡଲାଇନ ଅନୁସାରେ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ। ପ୍ରତି ବିଭାଗ ଗୁଡ଼ିକ ଏସ୍‌ଓପି ଓ ଗାଇଡଲାଇନ ଜାରି କରିବେ। କେଜିଠାରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋଶନ ପରୀକ୍ଷା ହେବ। ୧୦ମ ଓ ଦ୍ବାଦଶ ପରୀକ୍ଷା ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହେବ। ୨ ବର୍ଷ ହେଲା ଯେହେତୁ ସ୍କୁଲରେ ପାଠ ପଢ଼ାଯାଇ ନାହିଁ, ତେଣୁ ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସହଯୋଗ କରିବେ। ଦରକାର ପଡ଼ିଲେ ଖରାଛୁଟିକୁ ହ୍ରାସ କରାଯାଇ ପାରିବ।

Also Read  Make Vikashit Odisha a reality through strategic planning: H&UD Minister Mahapatra