ୱାଙ୍ଖଡ଼େଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲା ଏନ୍‌ସିବି

0
435
Sameer Wankhede
Sameer Wankhede

ମୁମ୍ବାଇ, ୨୬ା୧୦: ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନ୍‌ଙ୍କ ପୁତ୍ର ଆର୍ୟନ୍ ଖାନ୍‌ଙ୍କୁ ମୁକୁଳାଇବା ପାଇଁ ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ୨୫ କୋଟି ଟଙ୍କା ମାଗାଯାଇଥିବା ନେଇ ଜଣେ ସାକ୍ଷୀଙ୍କ ଦେହରକ୍ଷୀ ଅଭିଯୋଗ କରିବା ପରେ ଏନ୍‌ସିବି ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଆଦେଶ ‌ଦିଆଯାଇଛି।

ଏନ୍‌ସିବିର ଉତ୍ତରାଞ୍ଚଳ ଉପ ମହାନିର୍ଦ୍ଦେଶକ ଜ୍ଞାନେଶ୍ବର ସିଂହ ଏହାର ତଦନ୍ତ କରିବେ। ସିଂହ ମଧ୍ୟ ଉକ୍ତ ଜାତୀୟ ନିଶା ବିରୋଧୀ ସଂସ୍ଥାର ମୁଖ୍ୟ ଭିଜିଲାନ୍ସ ଅଫିସର (ସିଭିଓ)। କ୍ରୁଜ୍ ଡ୍ରଗ୍ ମାମଲାର ଜଣେ ସାକ୍ଷୀ କେ ପି ଗୋସାବିଙ୍କ ବ୍ୟକ୍ତିଗତ ଦେହରକ୍ଷୀ ପ୍ରଭାକର ଶୈଳ ରବିବାର ଦାବି କରିଥିଲେ ଯେ, ଆର୍ୟନ୍‌ଙ୍କୁ ଛାଡ଼ିବା ପାଇଁ ଏନ୍‌ସିବି ଅଧିକାରୀମାନେ ୨୫ କୋଟି ଟଙ୍କା ଦାବି କରିଥିଲେ। ‘ଆମେ ଏକ ପୋସାଦାର ସଂସ୍ଥା, ଆମ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଯେକୌଣସି ଅଭିଯୋଗର ତଦନ୍ତ କରିବା ପାଇଁ ଆମେ ସ୍ବାଧୀନ। ତଦନ୍ତ ସ୍ବଚ୍ଛ ଓ ନିରପେକ୍ଷ ହେବ ବୋଲି ସଭିଓ ସିଂହ କହିଛନ୍ତି।

ଏହା ପରେ ବି ୱାଙ୍ଖଡ଼େଙ୍କୁ ଡ୍ରଗ୍ସ ମାମଲାର ତଦନ୍ତ କରିବାକୁ ଦିଆଯିବ କି ବୋଲି ପ୍ରଶ୍ନର ଉତ୍ତରରେ ସିଂହ କହିଥିଲେ ଯେ ତଦନ୍ତ ଆରମ୍ଭ ନ ହେଉଣୁ ଏ ପ୍ରଶ୍ନର ଉତ୍ତର ଦେଇହେବ ନାହିଁ। ଶୈଳ ଯେଉଁ ଅଭିଯୋଗ କରିଛନ୍ତି, ତା’ର ସବୁ ଦିଗକୁ ଦୃଷ୍ଟି ଦିଆଯିବ। ସିଂହଙ୍କ ନେତୃତ୍ବରେ ଏକ ତିନିଜଣିଆ ଦଳ ତଦନ୍ତ ଓ ତଥ୍ୟ ସଂଗ୍ରହ ପାଇଁ ମୁମ୍ବାଇ ଯାଇପାରନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ମିଥ୍ୟା ଏବଂ ଅଜଣା ବ୍ୟକ୍ତିଙ୍କ ଦ୍ବାରା ତାଙ୍କୁ ଆଇନ ଜାଲରେ ଫସାଯାଉଛି ବୋଲି ମୁମ୍ବାଇ ପୁଲିସ କମିସନର ହେମନ୍ତ ନାଗରାଲେଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ୱାଙ୍ଖଡ଼େ ଆଜି ମୁମ୍ବାଇରୁ ଦିଲ୍ଲୀ ଯାଇଛନ୍ତି। ସେଠାରେ ମଧ୍ୟ ଅର୍ଥ ମାଗିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Also Read  Fadnavis, Shinde & Ajit Pawar Administered Aath in Maharashtra