ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ ‘ଜଓ୍ୱାଦ’ ରଖାଯିବ ।
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ଘଣ୍ଟା ଭିତରେ ଏହି ଲଘୁଚାପ ବଳୟ ଅଧିକ ସ୍ପଷ୍ଟ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଡିସେମ୍ବର ୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ। ଏହାପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।
ସେହିପରି ସ୍କାଇମେଟ୍ ୱେଦର ସର୍ଭିସର ପୂର୍ବାନୁମାନ ଅନୁସାରେ, ଏହି ଲଘୁଚାପ ଅଧିକ ଘନୀଭୂତ ହେବା ପାଇଁ ପରିବେଶ ଅନୁକୂଳ ମଧ୍ୟ ରହିଛି। ସାମୁଦ୍ରିକ ତାପମାତ୍ରା ଓ ପବନର ଗତିକୁ ମଧ୍ୟ ଏହି ଲଘୁଚାପକୁ ଅଧିକ ଘନୀଭୂତ କରାଇବାରେ ସହାୟକ ହେବ। ଆଣ୍ଡାମାନ ସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି, ଯାହାକି ବାତ୍ୟାର ରୂପ ନେଇ ଓଡ଼ିଶା, ବାଲାଂଦେଶ ଓ ଉତ୍ତର-ପୂର୍ବ ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।
ବାତ୍ୟା ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱର ଓ କଟକରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଅଧା ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ମୟୂରଭଞ୍ଜ ଓ କେନ୍ଦୁଝରରେ ବି ବର୍ଷାର ଆଶଙ୍କା ରହିଛି। ପୁରୀରେ ସବୁଠାରୁ ଅଧିକ ବର୍ଷା ହୋଇପାରେ।ଡିସେମ୍ବର ୫ରେ ପୂରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। NCEP କହିଛି ଯେ ୨୪ ଘଣ୍ଟାରେ ୫୦ରୁ ୧୦୦ ମିମି ବର୍ଷା ହୋଇପାରେ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ୪୦ରୁ ୭୭ ମିମି ବର୍ଷା ହେବ ବୋଲି ସୂଚନା ଦେଇଛି।
ଡିସେମ୍ବର ୬ରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଉପକୂଳ ଜତଲ୍ଲାରେ ଡିସେମ୍ବର ୪-୬ରୁ ମଧ୍ୟରେ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। NCEP-GFSର ଆକଳନ ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଡିସେମ୍ବର ୪ରେ ପ୍ରାୟ ୭୦ ମିମି ବର୍ଷା ହୋଇପାରେ। ୪ ଓ ୫ ତାରିଖରେ ପବର ବେଗ ବେଳେବେଳେ ୩୩ରୁ ୫୭ କିମି ରହିବ। ୩ ତାରିଖରୁ ହିଁ ଆକାଶ ମେଘାଚ୍ଛନ୍ନ ହୋଇଯିବ।