ଭୁବନେଶ୍ୱର : ‘ଆ କା ମା ବୈ…, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ । ଏହି ଶବ୍ଦ କାର୍ତ୍ତିକ ପୁର୍ଣ୍ଣିମାରେ ଶୁଣାଯାଇଥାଏ । ହେଲେ କରୋନା କଟକଣା ଦୃଷ୍ଟିରୁ ପୋଖରି ଏବଂ ନଦୀରେ ଲୋକେ ଡଙ୍ଗା ଭସାଇନଥିଲେ । ଏଥର କିନ୍ତୁ ସମସ୍ତେ ଘରେ ଏକ ବଡ଼ ପାତ୍ରରେ ପାଣି ରଖି କଦଳୀ ପଟୁକା ଓ କାଗଜ ଡଙ୍ଗା ଭସାଇଥିବାର ଦେଖିବାକୁ ମଳିଛି ।
ଓଡିଶା ସଂସ୍କୃତି ଓ ପରମ୍ପରାର ଭିନ୍ନ ଏକ ଦିଗଦର୍ଶନ । ଏହି ଦିନଟି ମନେ ପକାଏ ଉତ୍କଳର ଐତିହ୍ୟ, ସାଧବପୁଅଙ୍କ ଲେଉଟାଣୀର କାହାଣୀ । ଦୂର ଦୂରକୁ ବାଣିଜ୍ୟ ପାଇଁ ଯାଇଥିବା ଓଡ଼ିଆପୁଅ ମାନେ ସେହିଦିନ ହିଁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏ ପରମ୍ପରା ହିଁ ବଖାଣେ ଯେ ଓଡ଼ିଶାର ବୋଇତ ବନ୍ଦାଣର ଐତିହ୍ୟ ।
ଲୋକ ମୁଖରେ ପ୍ରସିଦ୍ଧିଥିଲା ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିଲେ ବୋଲି, ସିଂହଳବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି ତୁଣ୍ଡରେ ତୁଣ୍ଡକୁ ଯାଇ ବାଲିଯାତ୍ରା ହୋଇଥିବା ସମ୍ଭବ । ଏହି ଦିନଟି ପ୍ରତିଟି ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର । ଆବାହନ କାଳରୁ ଚାଲି ଆସୁଥିବା ଏ ପରମ୍ପରା ଆଜି ମଧ୍ୟ ଜୀବିତ । କଟକଣା ଭିତରେ ବି କିଏ ଘରେ, କିଏ ମନ୍ଦିରରେ ଓ କେହିକେହି ନିକଟସ୍ଥ ଜଳାଶୟରେ ପରମ୍ପରା ପାଳନ କରିଛନ୍ତି । ତେବେ ଅନେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବାତିଲ ହୋଇଛି ।
ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିର ରଖି କଟକ, ଭୁବନେଶ୍ବରରେ ବାଲିଯାତ୍ରାକୁ ବାତିଲ କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୁରୀ ମହୋଦଧୀ, ତୀର୍ଥ ପୁଷ୍କରିଣୀ, ଭୁବନେଶ୍ବର ବିନ୍ଦୁସାଗର, କଟକ ନଈପଠା ଓ ଯାଜପୁର ଦଶ୍ବାସମେଧ ଘାଟ ପରି ଅନେକ ତୀର୍ଥ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ସେପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଙ୍ଗା ଭସାଇବା କଟକଣା କୋହଳ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି ।