ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଳାଶୟ ଗୁଡ଼ିକରେ ଲାଗୁ କରାଯାଇଥିବା ୧୪୪ ଧାରାକୁ ଲୋକେ ମାନି ନାହାନ୍ତି। ଡଙ୍ଗା ଭସାଇବା ସମୟରେ ଆଜି ଭୋର ସକାଳୁ ଅଘଟଣ ଘଟିଛି। ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ହେଲେ ରଶ୍ମିରଂଜନ ନାୟକ (୧୩)।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ୧ ନଂ ୱାର୍ଡ ଅନ୍ତର୍ଗତ ସିନେମା ହଲ ଛକ ନିବାସୀ ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରଶ୍ମିରଂଜନ ଡଙ୍ଗା ଭସାଇବା ପାଇଁ ବହୁତ ଉତ୍ସାହିତ ଥିଲା। ଏଥି ପାଇଁ ସେ ଶୁକ୍ରବାର ରାତି ୨ଟାରୁ ଅନ୍ୟମାନଙ୍କ ସହିତ ବ୍ରାହ୍ମଣୀ ନଦୀର ବୁଦ୍ଧେଶ୍ବର ଘାଟକୁ ଡଙ୍ଗା ଭସାଇବା ପାଇଁ ଯାଇଥିଲା। ଭୋର ସକାଳୁ ସେ ଡଙ୍ଗା ଭସାଉଥିବା ବେଳେ ପ୍ରଖର ଜଳ ସ୍ରୋତରେ ଭାସିଯାଇଥିଲା। ରଶ୍ମିରଂଜନ ପାଣିରେ ଭାସିଯିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।
ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ବୋଟ ଯୋଗେ ସର୍ଚ୍ଚ ଜାରି ରଖିଥିଲା । ଦୀର୍ଘ ୨ ଘଣ୍ଟା ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ନିରାଶ ହୋଇ ମନ୍ଦାର ନୀଳକଣ୍ଠପୁର ବାଜିରାଉତ ସେତୁ ନିକଟକୁ ଯାଇ ଖୋଜି ଫେରିଗଲେ। ଠିକ ସେତେବେଳେ ନୂଆଭୁବନ ୩ ନମ୍ବର ୱାର୍ଡର ନାଉରିଆ ମାଛ ଧରାଳୀ ପ୍ରମୋଦ ମଲ୍ଲିକ ଧୀର ମଲ୍ଲିକ, କୈଳାଶ ମଲ୍ଲିକ ଓ କେଶବ ସେଠୀ ସୁଲେଇପାଳ ଘାଟରୁ ଜାଲ ସାହାଯ୍ୟରେ ରଶ୍ମିକୁ ଖୋଜି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ।
ଉଦ୍ଧାର ହେବା ପରେ ରଶ୍ମିକୁ ସଙ୍ଗେ ସଙ୍ଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିଲେ। ରଶ୍ମିକୁ ମେଡିକାଲ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ୨୫ ବର୍ଷ ପୂର୍ବରୁ ଏହି ସ୍ଥାନରେ ଡଙ୍ଗା ଭସାଇବା ସମୟରେ ଯାଇ ଭାସି ଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।