ଖବରକାଗଜ ହକରଙ୍କୁ ମିଳିଲା ୬ହଜାର କୋଭିଡ ସହାୟତା

0
392
ଖବରକାଗଜ ହକରଙ୍କୁ ମିଳିଲା ୬ହଜାର
ଖବରକାଗଜ ହକରଙ୍କୁ ମିଳିଲା ୬ହଜାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବରକାଗଜ ହକରମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି।

ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକରମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି। ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି।

ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହକରମାନେ ହେଉଛନ୍ତି ଖବରକାଗଜ ଓ ପାଠକମାନଙ୍କ ମଧ୍ୟରେ ସେତୁ। ଖରା, ବର୍ଷା, ଶୀତ ସବୁ ସମୟରେ ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟକୁ ଭୁଲି ପାଠକମାନଙ୍କୁ ଖବରକାଗଜ ଯୋଗାଇଛନ୍ତି। ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସହାୟତା ସହିତ ହକର ମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ। ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକରମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି। ହକରମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲାସ୍ତରରେ ୱାର୍କସେଡ୍‌ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ କରାଯିବ।

ସୂଚନାଯୋଗ୍ୟ ଯେ ଦୁର୍ଘଟଣାଜନିତ ସଂପର୍ଣ୍ଣ ଅକ୍ଷମତା ଯୋଗୁ ହକର ମାନଙ୍କୁ ଦେଢ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକର ମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକର ମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଲୋକସେବା ଭବନ କନ୍‌ଭେନସନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଯେ ମୁଖ୍ୟମନ୍ତ୍ରୀ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଓଡିଶାରେ ପ୍ରଗତୀର ନୂଆ ଇତିହାସ ଲେଖିଛନ୍ତି । ଆର୍ଥିକ ଦୁରାବସ୍ଥାର ସମ୍ମୁଖୀନ ହେଉଥିବା ହକରମାନେ ଏହାଦ୍ବାରା ଉପକୃତ ହେବେ।
ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏଥିରେ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ ।

Also Read  ଆଗାମୀ ୨୪ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା, ୮ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଗୋବର୍ଦ୍ଧନ ଦାସ, କଟକରୁ ରତ୍ନାକର ପ୍ରଧାନ, ସମ୍ବଲପୁରରୁ କୃଷ୍ଣଚନ୍ଦ୍ର ନାଥ ଓ ବ୍ରହ୍ମପୁରରୁ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ହକରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଥିଲେ ଯେ ଆମେ ହକର ଭାଇମାନେ ଅନେକ ଅର୍ଥାଭାବର ସମ୍ମୁଖୀନ ହୋଇଛୁ। ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ ହୃଦୟରୁ ତାଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଛୁ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, ସୂଚନା ଓ ଲୋକସଂପର୍କ ଅଧିକାରୀ ଓ ହକରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here