୧୫ରୁ ପୁଣି ବଢ଼ିବ ଶୀତ

0
1113
ପୁଣି ବଢ଼ିବ ଶୀତ
ପୁଣି ବଢ଼ିବ ଶୀତ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି (ଶୁକ୍ରବାର) ମଧ୍ୟ ଜାରି ରହିବ। ୧୫ ତାରିଖ ମଧ୍ୟାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ପାରଦ ଧୀରେଧୀରେ ତଳକୁ ଖସିବ ଓ ଶୀତ ଫେରିବ। ଗତକାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା।

ସେହିପରି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କଟକର ନରାଜଠାରେ ସର୍ବାଧିକ ୫୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନରସିଂହପୁରଠାରେ ୩୦ମିମି, ମାଲକାନଗିରିଠାରେ ୩୦ ମିମି, ପୁରୁଷୋତ୍ତମପୁରଠାରେ ୩୦ ମିମି, କଳାହାଣ୍ଡିର ନର୍ଲାଠାରେ ୩୦ ମିମି, ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ୩୦ ମିମି ଓ ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ୩୦ମିମି ଲେଖାଏଁ ବର୍ଷା ହୋଇଛି। ୧୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଆଜିଠାରୁ ୧୫ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନ ଯଥା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବର୍ଷା ପ୍ରଭାବରେ ବିଶେଷକରି କୃଷିକ୍ଷେତ୍ର ଓ ଉଦ୍ୟାନ କୃଷି ଫସଲର କ୍ଷତି ଆଶଙ୍କା ରହିଛି। ଶୀତଦିନିଆ ଡାଲିଜତୀୟ ବିହନ (ମୁଗ, ବିରି ଆଦି) ଓ ତୈଳବୀଜ ବିହନ ବୁଣାବୁଣି ଆଗକୁ ଏକ ସପ୍ତାହ ସାମୟିକ ଭାବେ ସ୍ଥଗିତ ରଖିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ଷା ପରେ ସର୍ବନିମ୍ନ ତାପମାତ୍ରା ତଳମୁହାଁ ହେବା ଯୋଗୁ ବିହନ ଗଜା ହେବାରେ ଅସୁବିଧା ହେବାର ସମ୍ଭାବନା ରହିଛି। ଏଥିସହ ଶୀଘ୍ର ବୁଣାଯାଇଥିବା ଚିନାବାଦାମ ଓ ସୋରିଷ ଫସଲ ଫୁଲ ଧରିବା ପର୍ଯ୍ୟାୟ, ସାମ୍ଭାବ୍ୟ ବର୍ଷା ସେହି ଫସଲଗୁଡ଼ିକ ପାଇଁ ସହାୟ ହେବ। ଏଣୁ କୃଷକମାନେ ଏହି ଫସଲରେ ଜଳସେଚନ କାର୍ଯ୍ୟ ସ୍ଥଗିତ ରଖିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

 

Also Read  State govt collected Rs 6,595 cr of tax from tobacco, pan masala over 11 yrs