ନୂଆଦିଲ୍ଲୀ: ଆସାମରେ ବନ୍ୟାର ତାଣ୍ଡବ । ଆସାମରେ ବନ୍ୟା ପରିସ୍ଥିତି ଶନିବାର ଦିନ ଏକ ଭୟାନକ ସ୍ତରରେ ପହଞ୍ଚିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍କଳନରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟର ୩୨ ଜିଲ୍ଲାରେ ୪,୨୯୧ ଗାଁରେ ୩୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ନଦୀଗୁଡ଼ିକ ଫୁଲି ଉଠୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି । ୧୫ ନମ୍ବର ଜାତୀୟ ରାଜପଥ ପାଣିରେ ବୁଡ଼ିଯିବାରୁ ଶହ ଶହ ଟ୍ରକ ରାସ୍ତାରେ ଛିଡ଼ା ହୋଇଛି । ୬୬,୪୫୫.୮୨ ହେକ୍ଟର ଫସଲ ଜଳମଗ୍ନ ହୋଇଛି ।
ବାରପେଟାର ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଏଠାରେ ଥିବା ଗ୍ରାମବାସୀ ସେମାନଙ୍କ ଘରେ ବହୁ ମୂଲ୍ୟବାନ ସାମଗ୍ରୀ ଥିବା କହି ନିଜ ଘର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଆମେ କୌଣସି ପ୍ରକାରେ ସେମାନଙ୍କୁ ଘର ଖାଲି କରିବାକୁ ମନାଇବାରେ ସଫଳ ହୋଇଛୁ ଏବଂ ବର୍ତ୍ତମାନ ଆମେ ବ୍ୟବସ୍ଥା କରୁଛୁ ସେମାନଙ୍କୁ ରିଲିଫ୍ କ୍ୟାମ୍ପକୁ ନେବାକୁ | ଅଧିକାରୀ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷର ବ୍ୟବସ୍ଥା ହୋଇସାରିଛି। ନିକଟ ଭୁଟାନରେ ଜଳ ସ୍ତର ବଢୁଛି , ତେଣୁ ଆମ ଜିଲ୍ଲା ମଧ୍ୟ ପ୍ରଭାବିତ ହେଉଛି ଏବଂ ଆଗାମୀ ଦିନରେ ଅବସ୍ଥା ଆହୁରି ଖରାପ ହୋଇପାରେ।ତେବେ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ।
ଅନ୍ୟପକ୍ଷରେ ମେଘାଳୟରେ ମଧ୍ୟ ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ସେହିପରି ତ୍ରିପୁରାର ଅଗରତାଲାରେ ଲଗାଣ ବର୍ଷା ଲାଗି ରହିଛି । ମେଘାଳୟରେ ବର୍ଷା ଓ ବନ୍ୟା ଫଳରେ ୧୯ ଜଣଙ୍କ ଜୀବନ ଯାଇଛି । ତ୍ରିୁରାରେ ୬ ଘଣ୍ଟା ମଧ୍ୟରେ ୧୪୫ ମିଲିମିଟର ବର୍ଷାରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ପ୍ରଭାବିତ ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।