ହେରା ପଞ୍ଚମୀ: ରଥଯାତ୍ରା ସହ ଜଡିତ ଏକ ସ୍ୱତନ୍ତ୍ର ଉତ୍ସବ

0
228
ହେରା ପଞ୍ଚମୀ: ରଥଯାତ୍ରା ସହ ଜଡିତ ଏକ ସ୍ୱତନ୍ତ୍ର ଉତ୍ସବ
ହେରା ପଞ୍ଚମୀ: ରଥଯାତ୍ରା ସହ ଜଡିତ ଏକ ସ୍ୱତନ୍ତ୍ର ଉତ୍ସବ

୨୦୨୨ ମସିହା ଜୁଲାଇ ୫ ତାରିଖ

ହେରାପଞ୍ଚମୀ I ଶ୍ରୀମନ୍ଦିର ରେ ଏହା ଏକ ବିଶେଷ ଉତ୍ସବ ଭାବରେ ପାଳିତ ହେଇଥାଏ I ଖାଲି ଶ୍ରୀମନ୍ଦିର ନୁହଁ, ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ରଥଯାତ୍ରା ହୁଏ ସେଠାରେ ଏହି ଉତ୍ସବ ପାଳିତ ହୁଏ I ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ଉତ୍ସବ ଅନୁଷ୍ଠିତ ହୁଏ I ଏହି ଉତ୍ସବ କୁ ଲକ୍ଷ୍ମୀ ବିଜୟ ଉତ୍ସବ ମଧ୍ୟ କୁହାଯାଏ I
ଏହିଦିନ ଶ୍ରୀମନ୍ଦିର ଭଣ୍ଡାରଘରେ ବିଜେ କରିଥିବା ଠାକୁରାଣୀଙ୍କ ମାଜଣା, ବନକଲାଗି, ପାଟ, ଅଳଙ୍କାର ଲାଗି ପରେ ପନ୍ତିଭୋଗ ହୁଏ I ମା ଲକ୍ଷ୍ମୀ ପାଲିଙ୍କିରେ ବସି ସିଂହଦ୍ୱାର ଦେଇ ବଡଦାଣ୍ଡ ବାଟେ ଗୁଣ୍ଡିଚା ଘର ରଥପାଖକୁ ଯାଆନ୍ତି I ଘଣ୍ଟା, କାହାଳି, ଵାଦ୍ୟରେ ସମଗ୍ର ପରିବେଶଟି ମୁଖରିତ ହୁଏ I

ମା ମହାଲକ୍ଷ୍ମୀଙ୍କ ବିମାନଟି ଜଗମୋହନରୁ ନାକଚଣା ଦୁଆର ଦେଇ ଗଲାବେଳେ ତେନ୍ତୁଳୀଗଛ ମୂଳେ ପୂଜା ବନ୍ଦାପନା ହୁଏ I ଏହା ପରେ ମା ଲକ୍ଷ୍ମୀଙ୍କ ବିମାନ ଶ୍ରୀ ଜଗନ୍ନାଥ ଙ୍କ ରଥପାଖକୁ ନିଆଯାଏ I ସେଠାରେ ମା ରଥ ଭାଙ୍ଗନ୍ତି I ମା ଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ଚାଲେ I

ମା ଲକ୍ଷ୍ମୀ ରଥ ଭାଙ୍ଗିବାର କାରଣ ହେଲା ତାଙ୍କୁ ସାଙ୍ଗରେ ନ ନେଇ ମହାପ୍ରଭୁ ଭଉଣୀ ଶୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା କରନ୍ତି I ତେଣୁ ମା ରାଗରେ ରଥର କିଛି ଅଂଶ ଭାଙ୍ଗି ଦିଅନ୍ତି I ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ବୁଲି ଯାଇଥିବାରୁ ଏହା ହେରା ପଞ୍ଚମୀ ଭାବରେ ଖ୍ୟାତ I ହେରା ର ଅର୍ଥ ହେଲା ଦର୍ଶନ କରିବା ବା ଦେଖିବା I ଏହି ଦିନ ମା ଲକ୍ଷ୍ମୀ ଜଗନ୍ନାଥ ଙ୍କୁ ଦର୍ଶନ କରିଥିବାରୁ ଏହିଦିନଟିକୁ ହେରାପଞ୍ଚମୀ କୁହାଯାଏ ବୋଲି ଅନେକଙ୍କ ମତ I

ହେରାପଞ୍ଚମୀ ଉତ୍ସବ ପାଳନ ସମ୍ପର୍କରେ ଏକ ପୌରାଣିକ ଉପାଖ୍ୟାନ ଅଛି I ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥଯାତ୍ରା ଦିନ ଗୁଣ୍ଡିଚା ଘର କୁ ଯାତ୍ରାକରିବା ପରେ ଲକ୍ଷ୍ମୀଙ୍କ ମନରେ ଦୁଃଖ ହେଲା I ନିଜ ମନର ଦୁଃଖ ବା ବ୍ୟଥା କୁ ସେ ମା ବିମଳା ଙ୍କ ପାଖରେ ପ୍ରକାଶ କଲେ I ମା ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଲେ I ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବାକୁ ମା ବିମଳା କହିବାରୁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଠାକୁରଙ୍କ ଦର୍ଶନ ପାଇଁ ଗୁପ୍ତରେ ଗୁଣ୍ଡିଚା ମନ୍ଦିରକୁ ଗଲେ I ମୋହ ଅଂଜନରେ ପ୍ରଭୁଙ୍କୁ ମୁଗ୍ଧ କଲେ I ଯାହାଫଳରେ ପ୍ରତ୍ୟାଗମନ ପାଇଁ ରଥକୁ ଦକ୍ଷିଣାଭିମୁଖ କରାଯିବାକୁ ଆଦେଶ ଦିଆଗଲା I

ଏହି ଉତ୍ସବ ପଛରେ ଯାହାକିଛି ଧାର୍ମିକ ଭାବନା ଥାଉନା କାହିଁକି ସାମାଜିକ ଭାବ କିନ୍ତୁ ଏଥିରେ ନିବିଡ ଭାବରେ ରହିଛି I ସ୍ୱାମୀସ୍ତ୍ରୀ ଭାବରେ ଏମିତି ମନ ଫଟାଫଟି, ରାଗ-ଅଭିମାନ ହୁଏ I ଏହା ସ୍ୱାଭାବିକ I ସ୍ତ୍ରୀଙ୍କୁ ସାଙ୍ଗରେ ନ ନେଇ ଭଉଣୀକୁ ଯାତ୍ରାକୁ ନେଲେ ସ୍ତ୍ରୀ ବିରକ୍ତ ହେବା ସ୍ୱାଭାବିକ I ପୁଣି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମିଳନ ହେବା ମଧ୍ୟ ସ୍ୱାଭାବିକ I

Also Read  ଶ୍ରୀମନ୍ଦିର ସମ୍ମୁଖରେ ସ୍ଥିତି ଅସମ୍ଭାଳ: ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

LEAVE A REPLY

Please enter your comment!
Please enter your name here