‘ୱେଦର୍‌ ରାଡାର୍‌’ କାମ ନ କରିବାରୁ ଚୀନ୍‌ରୁ କୋଲ୍‌କାତା ଫେରିଆସିଲା ‘ସ୍ପାଇସ୍‌ଜେଟ୍‌’ର ମାଲବାହୀ ବିମାନ

0
444

କୋଲ୍‌କାତା: ‘ୱେଦର୍‌ ରାଡାର୍‌’ କାମ ନ କରିବାରୁ ମଙ୍ଗଳବାର ଦିନ ଚୀନ୍‌ ଅଭିମୁଖେ ଯାଉଥିବା ‘ସ୍ପାଇସ୍‌ଜେଟ୍‌’ର ଗୋଟାଏ ମାଲବାହୀ ବିମାନ କୋଲ୍‌କାତାକୁ ଫେରିଆସିଛି। ‘ସ୍ପାଇସ୍‌ଜେଟ୍‌’ର ଜଣେ ମୁଖପାତ୍ର କହିଛନ୍ତି, ଜୁଲାଇ ୫ ତାରିଖ, ମଙ୍ଗଳବାର ଦିନ ‘ସ୍ପାଇସ୍‌ଜେଟ୍‌’ର ବୋଇଙ୍ଗ୍‌ ୭୩୭ ମାଲ୍‌ବାହୀ ବିମାନ କୋଲ୍‌କାତାରୁ ଚୋଙ୍ଗ୍‌କ୍ବିଙ୍ଗ୍‌ ଯିବାର ଥିଲା। ଉଡ଼ାଣ ଆରମ୍ଭ କରିବା ପରେ ବିମାନର ‘ୱେଦର୍‌ ରାଡାର୍‌’ ଅଚଳ ହୋଇଯିବା ପରେ ଦାୟିତ୍ବରେ ଥିବା ପାଇଲଟ୍‌ କୋଲ୍‌କାତା ଫେରିଆସିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଉକ୍ତ ବିମାନଟିକୁ ନିରାପଦରେ କ‌ୋଲ୍‌କାତାରେ ଅବତରଣ କରାଯାଇଛି।

ସୂଚନାଯୋଗ୍ୟ, ‘ଇଣ୍ଡିକେଟର୍‌ ଲାଇଟ୍‌’ ନ ଜଳିବାରୁ ମଙ୍ଗବାର ସକାଳେ ଦିଲ୍ଲୀରୁ ଦୁବାଇ ଯାଉଥିବା ଗୋଟାଏ ‘ସ୍ପାଇସ୍‌ଜେଟ୍‌’ ବିମାନ ପାକିସ୍ତାନର କରାଚୀସ୍ଥିତ ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦରରେ ନିରାପଦରେ ଅବତରଣ କରିଥିଲା। ଏହାକୁ ମିଶାଇ ବୈଷୟିକ ତ୍ରୁଟି କାରଣରୁ ଗତ ୧୮ ଦିନ ମଧ୍ୟରେ ‘ସ୍ପାଇସ୍‌ଜେଟ୍‌’ର ୮ଟି ବିମାନ ଜରୁରୀ ଅବତରଣ କଲାଣି। ସଦ୍ୟତମ ସୂଚନା ଅନୁସାରେ, ଏ ସଂକ୍ରାନ୍ତରେ ତଦନ୍ତ ଚଳାଇଥିବା ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ‘ସ୍ପାଇସ୍‌ଜେଟ୍‌’ ପ୍ରତି କାରଣଦର୍ଶାଅ ନୋଟିସ୍‌ ଜାରି କରିଛି।

Also Read  ଅଭିନେତ୍ରୀଙ୍କୁ ଚୂନ ଲଗାଇଲେ ଠକ, ଆକାଉଣ୍ଟରୁ ଖାଲି କରିଦେଲେ ୪ କୋଟି ଟଙ୍କା