ଯାତ୍ରା ପାର୍ଟିରୁ ଅଗ୍ରୀମ ଟଙ୍କା ନେଇଥିବା ନେଇ ହୋଇଥିବା ଅଭିଯୋଗ କୁ ଖଣ୍ଡନ କଲେ ଦୈତାରି ପଣ୍ଡା

0
196

ବାଲେଶ୍ୱର: ‘‘୧୫ ଲକ୍ଷ କ’ଣ, ୫ ପଇସା ବି ନେଇନାହିଁ । ପାର୍ବତୀ ଗଣନାଟ୍ୟରୁ ଅଗ୍ରିମ ଆକାରରେ କୌଣସି ଟଙ୍କା ନେଇନାହିଁ । ମୁଁ କୌଣସି ଚୁକ୍ତିବଦ୍ଧ ହୋଇନାହିଁ କିମ୍ବା ମୁଁ ନିଖୋଜ ହୋଇନାହିଁ । ମୁଁ ମୋର ପୁରୁଣା ପାର୍ଟି କୋଣାର୍କ ସହ କାମ କରୁଛି, ଆଉ ପାର୍ବତୀ ଗଣନାଟ୍ୟ କର୍ମକର୍ତ୍ତାଙ୍କୁ ଜଣାଇ ଦେଇଛି। ମୋ ବିରୋଧରେ ‌ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ।’’

ଯାତ୍ରା କଳାକାର ଦୈତ୍ୟାରୀ ପଣ୍ଡାଙ୍କ ନାମରେ ପାର୍ବତୀ ଗଣନାଟ୍ୟ ପକ୍ଷରୁ ୧୫ ଲକ୍ଷ ଟଙ୍କା ନେଇ ଅଖଡ଼ାକୁ ଆସୁ ନଥିବା ଅଭିଯୋଗ ଆସିବା ପରେ ଏ ନେଇ ନିଜ ପକ୍ଷ ରଖିଛନ୍ତି ଦୈତ୍ୟାରୀ । ସେ କହିଛନ୍ତି ଯେ ୪୪ ବର୍ଷ ଧରି ଯାତ୍ରା ଦୁନିଆରେ କାମ କରିସାରିଲିଣି । କୌଣସି ମାଲିକ ବି ଏଭଳି ଅଭିଯୋଗ କେବେ ଆଣି ନାହାନ୍ତି । ଏବେ ଏହି ପାର୍ଟି ପକ୍ଷରୁ ଚକ୍ରାନ୍ତ କରାଯାଇ ମତେ ଫସାଯାଇଛି । ଅନ୍ୟପଟେ ଆଖଡା ନ ଯିବା ପ୍ରଶ୍ନକୁ ନେଇ ଦୈତ୍ୟାରୀ କହିଛନ୍ତି ଯେ ପାର୍ବତୀ ଗଣନାଟ୍ୟର ସହ-କଳାକାରଙ୍କୁ ନେଇ ମୁଁ ଖୁସି ନଥିଲି । ମୁଁ ମାସିକ ଦରମା ହିସାବରେ ୪ ମାସ କାମ କରୁଥିଲି ।

ଯେତେବେଳେ ସହ-କଳାକାରଙ୍କୁ ନେଇ ମୁଁ ଆପତ୍ତି କଲି ଓ ଏମାନେ ଭଲ କଳାକାର ଆଣିଲେ ନାହିଁ, ସେତେବେଳେ ମୁଁ ସେହି ପାର୍ଟି ଛାଡି ଚାଲିଆସିଲି । ସୂଚନାଯୋଗ୍ୟ ଯେ ଆଜି ପାର୍ବତୀ ଗଣନାଟ୍ୟ ପକ୍ଷରୁ ଏହାର ମୁଖ୍ୟ ପରିଚାଳନା ଅଧିକାରୀ ହର ବାରିକ ପୁଲିସ ନିକଟରେ ଅନଲାଇନ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ସେ ଦର୍ଶାଇଥିଲେ ଯେ ପାର୍ବତୀ ଗଣନାଟ୍ୟ ସହ ୨୦୨୨-୨୩ ଯାତ୍ରା ସିଜିନ ପାଇଁ ବରିଷ୍ଠ ଯାତ୍ରା ଅଭିନେତା ଦୈତ୍ୟାରୀ ପଣ୍ଡା ଚୁକ୍ତି କରିଥିଲେ ।

ଆଉ ଅଗ୍ରିମ ଆକାରରେ ସେ ନିଜ ଦରମାର ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୧୫ ଲକ୍ଷ ଟଙ୍କା ନେଇସାରିଛନ୍ତି । ଚୁକ୍ତିନାମା ଅନୁସାରେ ସେ ଜୁନ ୨୧ ତାରିଖରୁ ଆସି ଆଖଡ଼ାରେ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତି କରିବା କଥା । କିନ୍ତୁ ସେ ଆଖଡ଼ାକୁ ନ ଆସିବା ସହ ତାଙ୍କୁ ଯୋଗାଯୋଗ କରାଯାଇପାରୁନାହିଁ । ଯେହେତୁ ବିଭିନ୍ନ ଯାତ୍ରା କମିଟିଠାରୁ ପାର୍ବତୀ ଗଣନାଟ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଗ୍ରିମ ନେଇସାରିଛି, ତେଣୁ ଦୈତ୍ୟାରୀଙ୍କୁ ଖୋଜିବାରେ ପୁଲିସ ସାହାଯ୍ୟ କରୁ ବୋଲି ସେ ଏତଲାରେ ଦର୍ଶାଇଥିଲେ ।

Also Read  ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ: ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୨ କୋଟି ଟଙ୍କା ଜବତ

LEAVE A REPLY

Please enter your comment!
Please enter your name here