ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଯୋଜନା କରିଛନ୍ତି ବାଣୀ କପୁର

0
355

ନୂଆଦିଲ୍ଲୀ : କାମରେ ବିବିଧତାକୁ ଫୋକସ୍‌ କରୁଥିବା ଜଣେ କଳାକାର ଭଲ କଳାକାର ହୋଇପାରେ ଏବଂ ଗ୍ଲାମରସ୍‌ ଭୂମିକା ନିର୍ବାହ କରିପାରେ । ଏପରି କହିଛନ୍ତି ଅଭିନେତ୍ରୀ ବାଣୀ କପୁର । ୨୦୧୩ ମସିହାରେ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଜରିଆରେ ସେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ତା’ପରେ ‘ବେଫିକ୍‌ରେ’ ଓ ବ୍ଲକ୍‌ବଷ୍ଟର୍‌ ‘ୱାର୍‌’ ଭଳି ଫିଲ୍ମରେ ନଜର ଆସିଲେ । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକି’ରେ ଜଣେ କିନ୍ନର ମହିଳା ଭୂମିକା ନିର୍ବାହ କରି ସେ ଖୁବ୍‌ ପ୍ରଶଂସିତ ହୋଇଥିଲେ ।

ଏକ ସାକ୍ଷାତକାରରେ ବାଣୀ କହିଛନ୍ତି ‘ମୋ କାମରେ ମୁଁ ବିବିଧତା ଉପରେ ଫୋକସ୍‌ କରେ । ଯେତେବେଳେ ପଛକୁ ଚାହେଁ, ଜଣେ କଳାକାର ଭାବେ ମୋର ଯୋଗଦାନ ଅଛି ବୋଲି ଅନୁଭବ କରେ । ଅନେକ କ୍ଷେତ୍ରରେ କାମ କରିବାରେ ମୁଁ ସକ୍ଷମ ମଧ୍ୟ ହୋଇଛି ।’ ‘ବେଫିକ୍‌ରେ’ ଓ ‘ୱାର୍‌’ ଭଳି ଫିଲ୍ମରେ ତାଙ୍କ ଚରିତ୍ରକୁ ଗ୍ଲାମରସ୍‌ ରୂପେ ବିବେଚନା କରାଯାଇଛି । କିନ୍ତୁ ବାଣୀଙ୍କ ପାଇଁ ତାହା ଅଭିନୟ ପ୍ରକ୍ରିୟାର ଅଂଶବିଶେଷ । ତାଙ୍କ ମତରେ, ଏହା ଆଦୌ ନୁହେଁ ଯେ ଗ୍ଲାମର୍‌ ନ ଥିବା କାମରେ ହିଁ ଅଭିନୟ ଓ ପ୍ରଦର୍ଶନ ଥାଏ । ଅନ୍ୟମାନେ କେବଳ ଆସୁଛନ୍ତି ଆଉ ଡ୍ୟାନ୍ସ କରି ଚାଲିଯାଉଛନ୍ତି ।

ଅପକମିଙ୍ଗ ଫିଲ୍ମ ‘ଶମ୍‌ଶେରା’ ଜରିଆରେ ବିଭିନ୍ନ ପ୍ରକାର ଚରିତ୍ରର ଅନ୍ୱେଷଣ କରିବାକୁ ବାଣୀ ପ୍ରୟାସ କରିଛନ୍ତି । ରଣବୀର କପୁର ଷ୍ଟାରର୍‌ ଏହି ଫିଲ୍ମ ୧୮୦୦ ମସିହାର କାଳ୍ପନିକ ସହର କାଜା ଉପରେ ପର୍ଯ୍ୟବସିତ ଏବଂ ଜଣେ ଯୋଦ୍ଧା ଓ ନିର୍ଦ୍ଦୟୀ କ୍ଷମତାଶାଳୀ ପୁଲିସ ଶୁଦ୍ଧ ସିଂହକୁ ନେଇ ଏହାର କାହାଣୀ ଗତିଶୀଳ । ଶୁଦ୍ଧ ସିଂହ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ । ଫିଲ୍ମରେ ବାଣୀଙ୍କ ଚରିତ୍ରର ନାମ ସୋନା । ସେ ଜଣେ ନୃତ୍ୟଶିଳ୍ପୀ ଓ ରଣବୀରଙ୍କ ପ୍ରେମିକା ଭୂମିକା ନିର୍ବାହ କରିଛନ୍ତି । ସୋନା ଚରିତ୍ର ଅତ୍ୟନ୍ତ ଆକର୍ଷଣୀୟ ଓ ମନମୋହକ ବୋଲି ବାଣୀ କହିଛନ୍ତି ।

ବାସ୍ତବ ବାଣୀଙ୍କଠାରୁ ତାହା ଅତ୍ୟନ୍ତ ଭିନ୍ନ । ଏହି ଚରିତ୍ରର ଅନେକ ଦିଗ ରହିଛି । ଫିଲ୍ମ ଦେଖିବା ପରେ ହିଁ ଦର୍ଶକ ଜାଣିବାକୁ ପାଇବେ । ଏହି ଫିଲ୍ମ ଜରିଆରେ ବାଣୀ ପ୍ରଥମ ଥର ରଣବୀର, ସଞ୍ଜୟ ଦତ୍ତ ଓ ନିର୍ଦ୍ଦେଶକ କରଣ ମଲହୋତ୍ରାଙ୍କ ସହ କାମ କରିଛନ୍ତି । ଆସନ୍ତା ଶୁକ୍ରବାର ଫିଲ୍ମଟି ଥିଏଟରରେ ମୁକ୍ତିଲାଭ କରିବ । କରୋନା ଲକ୍‌ଡାଉନ୍‌ ସମୟରେ ଓଟିଟି ବିଷୟ ଆଧାରିତ ଅନେକ ଫିଲ୍ମ ଦେଖିବା ପରେ ଦର୍ଶକ ଏବେ ଥିଏଟର୍‌ରେ ବଡ଼ ଫିଲ୍ମ ଦେଖିବାକୁ ଚାହିଁ ରହିଛନ୍ତି ବୋଲି ବାଣୀ କହିଛନ୍ତି ।

Also Read  ଚିତରଞ୍ଜନ ମୃତ୍ୟୁ ମାମଲା: ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପିଏସଓଙ୍କୁ ପଚରାଉଚରା