ଶିକ୍ଷା ରୂପାନ୍ତରଣରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ; ନବ ନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କଲେ ନବୀନ

0
157

ଭୁବନେଶ୍ୱର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମଠାରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ନବନିଯୁକ୍ତ ଶିକ୍ଷକମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାରରେ ଜାରି ରହିଛି । ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ସେ କହିଥିଲେ ।

ଶିକ୍ଷକତା ପରି ଏକ ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା । ଜାତିର ଗୌରବ। ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ବ ଆପଣମାନେ ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦିଏ ବୋଲି ସେ ମତବ୍ୟକ୍ତ କରିଥିଲେ।

ସ୍କୁଲ ରୂପାନ୍ତର ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ଏପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି। ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ । ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍‌ରେ ମଧ୍ୟ ଆପଣମାନେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ।

ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି। ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ବ ଆପଣମାନଙ୍କର।’ ଆମ ଶିକ୍ଷକମାନଙ୍କର ଜ୍ଞାନ, ତ୍ୟାଗ ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ ବୋଲି ସେ କହିଥିଲେ। ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଜଳସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Also Read  ଚନ୍ଦ୍ରରେ ଧକ୍କା ଖାଇବ ୭ ବର୍ଷ ହେବ ମହାଶୂନ୍ୟରେ ଘୂରୁଥିବା ସ୍ପେସ୍‌ଏକ୍ସ୍‌ ରକେଟ୍‌ର ବୁଷ୍ଟର୍

LEAVE A REPLY

Please enter your comment!
Please enter your name here