ଭୁବନେଶ୍ଵର: ବାଚସ୍ପତି ନିର୍ବାଚନ ପାଇଁ ବିଜେଡ଼ିର ବରିଷ୍ଠ ନେତା ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ଏହି ପଦବି ଖାଲି ପଡ଼ିଛି । ବାଚସ୍ପତି ପଦ ପାଇଁ ତାଙ୍କ ନାଁ ପ୍ରସ୍ତାବ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ କ୍ୟାବିନେଟର ପୁନର୍ଗଠନ ପୂର୍ବରୁ ଜୁନ୍ ୪ରେ ଆରୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ଆରୁଖ ସଂସଦୀୟ ବ୍ୟାପାର ସହ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ । ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଏହି ପଦ ମିଳୁଛି ବୋଲି କୁହାଯାଇଛି ।
ଆମେ କହିରଖୁ କି, ଆସନ୍ତା ୧୩ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏହି ଦିନ ସାଢ଼େ ୧୦ଟାରେ ବିଧାନସଭା ସମ୍ମିଳନୀ କକ୍ଷରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ବିଧାନସଭା ସଚିବ ଦାଶରଥି ଶତପଥୀ ଚିଠି ଲେଖିଛନ୍ତି ।