ଏଣିକି ବିମାନରେ ଶିଖ ଯାତ୍ରୀମାନେ କୃପାଣ ସହ କରିପାରିବେ ଯାତ୍ରା, କେନ୍ଦ୍ର ସରକାର ଦେଲେ ଅନୁମତି

0
778
centre-allows-sikh-passengers-and-employees-to-carry-kirpan-at-airports

ନୂଆଦିଲ୍ଲୀ: ଏଣିକି ଶିଖ ଯାତ୍ରୀମାନେ କୃପାଣ ସହ କରିପାରିବେ ବିମାନ ଯାତ୍ରା । ଏହାଛଡ଼ା ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଶିଖ କର୍ମଚାରୀମାନେ ମଧ୍ୟ ସେମାନଙ୍କ ପାଖରେ କୃପାଣ ରଖିପାରିବେ । ପୂର୍ବ ନିଷ୍ପତ୍ତି ବଦଳାଇ କେନ୍ଦ୍ର ସରକାର ଶିଖ୍ ଯାତ୍ରୀଙ୍କୁ କୃପାଣ ସହିତ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇ ବିଜେପି ନେତା ମନଜିନ୍ଦର ସିଂ ସିର୍ସା ଏହି ନୂଆ ଆଦେଶର ଏକ କପି ଟ୍ୱିଟ୍ କରିଛନ୍ତି। ଏଥିରେ ଲେଖାଯାଇଛି – ଶିଖ କର୍ମଚାରୀ-ଯାତ୍ରୀମାନେ ବିମାନବନ୍ଦରରେ କୃପାଣ ରଖିପାରିବେ | ନିର୍ଦ୍ଦେଶ ଅନୁଯାୟୀ, ବିମାନ ବନ୍ଦରକୁ ଅଣାଯାଉଥିବା କୃପାଣର ବ୍ଲେଡର ଆକାର ୬ ଇଞ୍ଚରୁ ଅଧିକ ହେବ ନାହିଁ ଏବଂ ସମଗ୍ର କୃପାଣର ଆକାର ୯ ଇଞ୍ଚରୁ ଅଧିକ ହେବ ନାହିଁ |

ସୂଚନାଯୋଗ୍ୟ ଯେ ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ବନ୍ଦରରେ କୃପାଣ ଉପରେ କଟକଣା ଜାରି କରିଥିଲା। ଶିଖ ସମ୍ପ୍ରଦାୟର ପାଞ୍ଚଟି ଧାର୍ମିକ ପ୍ରତୀକ ମଧ୍ୟରୁ କୃପାଣ ହେଉଛି ଅନ୍ୟତମ | ଶିଖ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ କେଶ, କଙ୍କଣ, କଚ୍ଛା, କୃପାଣ ଏବଂ କାଠ ପାନିଆ ରଖିବା ବାଧ୍ୟତାମୂଳକ |

ନିକଟରେ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ବିମାନବନ୍ଦରରେ ଶିଖ କର୍ମଚାରୀ କିମ୍ବା ଯାତ୍ରୀଙ୍କ ଉପରେ କୃପାଣ ରଖିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା।

Also Read  PM Modi speaks to Adityanath over Maha Kumbh stampede