ନୟାଗଡ଼: ନୟାଗଡ଼ ଶରଣକୂଳ ଲଡୁବାବାଙ୍କ ପୀଠରେ ଠାକୁର ଚାପ ଖେଳୁଥିବା ସମୟରେ ଅଘଟଣ । ଠାକୁରଙ୍କ ଚାପ ଖେଳ ବେଳେ ବୁଡିଗଲା ଚାପ ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୨୭ ଭକ୍ତ ଓ ସେବାୟତ । ଚନ୍ଦନଯାତ୍ରା ପାଇଁ ଲଡୁବାବାଙ୍କ ଚନ୍ଦନ ପୋଖରୀରେ ଗତ ୨୧ ଦିନ ହେଲା ଠାକୁରଙ୍କ ଚାପ ଖେଳ ହୋଇ ଆସୁଥିଲା ।
ସୂଚନାନୁଯାୟୀ, ସୋମବାର ଭଉଁରୀ ଥିବାରୁ ଲଡୁବାବାଙ୍କ ଚଳନ୍ତି ପ୍ରତିମାକୁ ନେଇ ସେବାୟତମାନେ ବିଳମ୍ବିତ ରାତିରେ ନିକଟସ୍ଥ ପୋଖରୀରେ ସୁସଜ୍ଜିତ ଡଙ୍ଗାରେ ଚାପ ଖେଳୁଥିଲେ । ତେବେ ଚାପ ଖେଳୁଥିବା ସମୟରେ ଡଙ୍ଗାଟି ରାତି ପ୍ରାୟ ୧୨ଟା ସମୟରେ ହଠାତ୍ ପାଣିରେ ବୁଡିଯାଇଥିଲା । ଡଙ୍ଗାରେ ଅତ୍ୟଧିକ ଲୋକ ରହିଥିବାରୁ ଏଭଳି ଅଘଟଣ ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କୂଳଠାରୁ ମାତ୍ର କିଛି ଦୂରରେ ଡଙ୍ଗାଟି ଓଲଟି ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା କିଛି ଲୋକ ପୋଖରୀ ଭିତରକୁ ଡେଇଁ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।
























