ଏମ୍‌କେସିଜିରେ କାର୍ଯ୍ୟରତ ନର୍ସ ଶିବାନୀ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ

0
426
mkcg-nurse-sibani-das-has-been-nominated-for-the-national-florence-nightingale-award

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପାଇବାକୁ ମନୋନୀତ ହାଇଛନ୍ତି । ୨୦୨୧ ବର୍ଷ ପାଇଁ ଶିବାନୀଙ୍କୁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ସୁପାରିସ କରାଯାଇଛି । ଏମ୍‌କେସିଜିର ପ୍ରଥମ ମହିଳା ନର୍ସ ଭାବେ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ ଶିବାନୀ । ବୃତ୍ତି ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇବା ପାଇଁ ଭାରତୀୟ ନର୍ସିଂ କାଉନସିଲ୍ (INC) ଦ୍ୱାରା ପ୍ରତିଷ୍ଠିତ ଦେଶର ସର୍ବୋଚ୍ଚ ନର୍ସିଂ ସମ୍ମାନ ପାଇଁ ପଚାଶ ବର୍ଷ ବୟସ୍କା ଶିବାନୀ ଦାସଙ୍କୁ ମନୋନୀତ କରାଯାଇଛି।

କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ବେଶ୍ ଚର୍ଚ୍ଚାରେ ରହିଥିଲେ ଏମ୍‌.କେ.ସି.ଜିର ନର୍ସ ଶିବାନୀ ଦାଶ । ଗଞ୍ଜାମ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା କରୋନା ସଂକ୍ରମିତଙ୍କୁ ଆବଶ୍ୟକୀୟ ସେବା ଯୋଗାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଏମ୍‌.କେ.ସି.ଜି କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଦାଢି କାଟିବା, ସେମାନଙ୍କୁ ସଜାଇଦେବା ଭଳି କାର୍ଯ୍ୟରେ ଶିବାନୀଙ୍କ ଭୂମିକା ବେଶ୍ ଅପରିହାର୍ଯ୍ୟ ରହିଥିଲା। କୋଭିଡ଼୍ କାଳରେ ସ୍ୱାସ୍ଥ୍ୟକର୍ମୀ ଓ ଡ଼ାକ୍ତର ଓ ନର୍ସମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ମଧ୍ୟ। ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିବେଳେ ଏମ୍‌.କେ.ସି.ଜି ମେଡ଼ିକାଲରେ କାର୍ଯ୍ୟରତ ନର୍ସମାନେ ଲୋକଙ୍କ ଜୀବନ ବଞ୍ଚାଇବା ଓ ସେମାନଙ୍କୁ ଉଚିତ୍ ସେବା ଯୋଗାଇବାରେ ମାଇଲଖୁଣ୍ଟ ସାଜିଥିଲେ।

ଏମ୍‌କେସିଜି କର୍ତ୍ତୃପକ୍ଷ ସୁପାରିଶ କରିଥିବା ୫ ଜଣଙ୍କ ମଧ୍ୟରୁ ଶିବାନୀଙ୍କ ନାମକୁ ଚୟନ କରିଛି ଭାରତୀୟ ନର୍ସିଂ ପରିଷଦ । ରୋଗୀଙ୍କ ସେବା କରୁଛି ଓ କରୁଥିବି ଏବଂ ଡାକ୍ତରଖାନାକୁ ଆସୁଥିବା ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ହିଁ ମୋ କାମ୍ୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଶିବାନୀ ।

Also Read  NIA to enquire Priyanka over Jyoti Malhotra link