ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବା ସହ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
524
cm naveen asks-departments-to-remain-prepared-for-disaster

ଭୁବନେଶ୍ୱର: ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡ଼ିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରତ୍ୟେକ ବର୍ଷର ଜୁନରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ । ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି । ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ । ଏହା ସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ । ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ । ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ ।

Also Read  Sacked Homeguard after sustaining 65 percent of burn injuries due to self-immolation succumbed to death on Sep 11

ଏହି ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ। ଏହି ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।