ଭୁବନେଶ୍ବର: ଦୁଇ ବର୍ଷ ପରେ ଏଥର ଶ୍ରଦ୍ଧାଳୁଙ୍କ ଗହଣରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।
ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ । ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି । କୋଭିଡ ସମୟରେ ରଥଯାତ୍ରା ପରିଚାଳନାରେ ସେବାୟତଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପୁରୀ ଟାଉନ ହଲ ଠାରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ୨୦ଟି ଆଶୁ ଚିକିତ୍ସା କେନ୍ଦ୍ର, ୨୩୩ଜଣ ଡାକ୍ତର, ୬ଜଣ ଫୁଡ ଇନ୍ସପେକ୍ଟର, ଦୁଇଟି ହିଟ ଷ୍ଟ୍ରୋକ ରୁମ୍ ଓ ୨୦୦ୟୁନିଟ ବ୍ଲଡ ମହଜୁଦ ରହିଥିବା ବୈଠକରେ ଉନ୍ନୟନ କମିଶନର ସୂଚନା ଦେଇଛନ୍ତି । ସେହିପରି ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନରେ ୩୦ଟି ଟ୍ୟାଙ୍କର, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମସ୍ତ ନଳକୂପ ବିଶୋଧନ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଅଧିକ ଅତ୍ୟାଧୁନିକ ମୋଟର ପମ୍ପ ମୁତୟନ ରହିବ । ରଥଯାତ୍ରା ସମୟରେ ୧୩୭ଟି ସ୍ୱତନ୍ତ୍ର ଟ୍ରେନ ସହ ଅଧିକ ବସ ଚଳାଚଳ କରିବ ।