ନୂଆଦିଲ୍ଲୀ: ଭାରତରେ ସ୍ୱାଗତ ପ୍ରକ୍ରିୟାରେ ଖୁସି ହୋଇ ୟୁକେ ପ୍ରଧାନମନ୍ତ୍ରୀ ଏମିତି କିଛି ପ୍ରତିକ୍ରିୟା ଦେଲେ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଭାରତରେ ତାଙ୍କୁ ଦିଆଯାଇଥିବା ଆତିଥ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି । ଏଭଳି ସ୍ୱାଗତରେ ଅଭିଭୂତ ହୋଇ ଜନସନ୍ ନିଜକୁ ସଚିନ୍ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୁଭୂତ କରିଛନ୍ତି । ଏଭଳି ଭବ୍ୟ ସ୍ୱାଗତ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଅପର୍ଣ କରିଛନ୍ତି । ଏହା ବାଦ୍ ଭାରତର ସମସ୍ତ ନାଗରିକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଜି ଜନସନ୍ ଭାରତ ଗସ୍ତରେ ତାଙ୍କ ଦ୍ୱିତୀୟ ବା ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀସ୍ଥିତ ହାଇଦ୍ରବାଦ ହାଉସରେ ସାକ୍ଷାତ କରିଛନ୍ତି ।
ଏହି ପରୀପ୍ରେକ୍ଷୀରେ ସେ ମୋଦୀଙ୍କୁ ନିଜର ଖାସ୍ ବନ୍ଧୁ ବୋଲି ବିବେଚିତ କରିଛନ୍ତି । ଦୁଇଦେଶ ମଧ୍ୟରେ ଆଲୋଚନା ବେଳେ ବୋରିସ୍ ତାଙ୍କର ଭାରତ ଗସ୍ତ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଆଲୋଚନାରେ ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ସେହିପରି ବୋରିସ କହିଥିଲେ ଯେ, ମୋଦୀ ତାଙ୍କର ଖାସ୍ ବନ୍ଧୁ । ଏହି ଚ୍ୟାଲେଞ୍ଜଭରା ସମୟରେ ସେ ଓ ମୋଦୀଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଛି । ଭାରତ ଓ ବ୍ରିଟେନ୍ ମଧ୍ୟରେ ବୁଝାମଣା ବନ୍ଧୁତାର ଏକ ଝଲକ ଅଟେ ବୋଲି ସେ କହିଛନ୍ତି । ଜନସନ୍ ଆହୁରି କହିଛନ୍ତି, ବର୍ତ୍ତମାନର ଘଡ଼ିଷନ୍ଧି ସମୟରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ୍ ହୋଇଛି । ଦୁଇ ଦେଶ ମଧ୍ୟରେ ସୁରକ୍ଷା ବୁଝାମଣା ବଢ଼ାଇବା ପାଇଁ ଆଲୋଚନା ହୋଇଛି । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବୁଝାମଣା ମଧ୍ୟ ହୋଇଛି ।