ନୂପୁର ଶର୍ମାଙ୍କୁ ହତ୍ୟା ଯୋଜନା ପଣ୍ଡ, ୟୁପିରୁ ଜୈଶ ଆତଙ୍କୀ ଗିରଫ

0
483
Jaish terrorist arrested by up police

ଲକ୍ଷ୍ନୌ: ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଜଣେ ଜୈଶ ଆତଙ୍କବାଦୀକୁ ଗିରଫ କରିଛି ୟୁପି ପୁଲିସ। ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏଥିପାଇଁ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ଉତ୍ତର ପ୍ରଦେଶର ଶାହାରନପୁରରେ ରହୁଥିବା ମହମ୍ମଦ ନଦୀମକୁ ଦାୟିତ୍ୱ ଦିଆଯାଇଥିଲା। ନଦୀମ ହତ୍ୟା ସୁଯୋଗରେ ଥିବା ବେଳେ ଉତ୍ତର ପ୍ରଦେଶ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ତାକୁ ଗିରଫ କରିବାରେ ସକ୍ଷମ ହୋଇଛି।

ଏଡିଜି(ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି, ନଦୀମ ନିୟମିତ ଭାବେ ଜୈଶ ଓ ତେହେରିକ-ଇ-ତାଲିବାନ ସଂଗଠନ ସହ ଯୋଗାଯୋଗରେ ଥିଲା। ବିଶେଷ କରି ଜୈଶର ସୈଫୁଲ୍ଲା ସହ ସେ ସିଧାସଳଖ କଥା ହେଉଥିଲା। ସୈଫୁଲ୍ଲାର ଘର ପାକିସ୍ତାନରେ। ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ନଦୀମଙ୍କୁ ଫିଦାୟିନ ବା ଆତ୍ମଘାତୀ ହମଲା କରିବାକୁ କୁହାଯାଇଥିଲା।

ତାକୁ ଜେରା କରିବା ବେଳେ ସେ ଏକଥାକୁ ସ୍ୱୀକାର କରିଥିବା ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି। କୁମାର ଆହୁରି କହିଛନ୍ତି, ନଦୀମ ଅନେକ ପ୍ରକାରର ବିସ୍ଫୋରକ ସଂଗ୍ରହ କରିଥିଲା। ଏଥିସହ ଆଇଇଡି ତିଆରି କରିବା ପାଇଁ ବିଭିନ୍ନ ସାମଗ୍ରୀ ମଧ୍ୟ ଯୋଗାଡ଼ କରୁଥିଲା। ଆଇଇଡି ତିଆରି କରିବା ପରେ ସେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ପୁଲିସ୍‌ କାର୍ଯ୍ୟାଳୟ ଉପରେ ହମଲା କରିବାକୁ ଯୋଜନା କରିଥିଲା।

Also Read  Shah Promises 4G in 360 Vibrant Villages by June