ପାକିସ୍ତାନୀ ସାଂସଦ ଆମୀର ଲିୟାକତଙ୍କ ସନ୍ଦେହଜନକ ମୃତ୍ୟୁ

0
548
pakistan-tv-host-aamir-liaquat-hussain-dies

ଇସଲାମାବାଦ: ପାକିସ୍ତାନୀ ସାଂସଦ ତଥା ଜଣାଶୁଣା ହୋଷ୍ଟ ଆମିର ଲିୟାକତ ହୁସେନଙ୍କ ସନ୍ଦେହଜନକ ମୃତ୍ୟୁ । ମାତ୍ର ୪୯ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ତାଙ୍କ ଘରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ ଏବଂ ତାଙ୍କୁ ଆଗା ଖାନ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆମିରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୂରା ପାକିସ୍ତାନରେ ଶୋକ ଖେଳିଯାଇଛି। ନିକଟରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଆମିର।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆଜି ସକାଳେ ଲିୟାକତଙ୍କ ସ୍ୱାସ୍ଥାବସ୍ଥା ଖରାପ ହୋଇଯାଇଥିଲା। ପରେ ତାଙ୍କୁ ତୁରନ୍ତ ଆଗା ଖାନ୍‌ ବିଶ୍ୱବିଦ୍ୟାଳୟ ହସ୍ପିଟାଲକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ତାଙ୍କ କହିବାନୁସାରେ, ପ୍ରାରମ୍ଭିକ ରିପୋର୍ଟରେ କୌଣସି ଗଡ଼ବଡ଼ ଥିବା ଜଣାପଡ଼ିନାହିଁ।

ତାଙ୍କ ମୃତ୍ୟୁକୁ ନିଶ୍ଚିତ କରି ପିଟିଆଇ ନେତା ଜମାଲ ସିଦ୍ଦିକି କହିଛନ୍ତି ଯେ ଆମୀର ଲିୟାକତଙ୍କ ଜଣେ କର୍ମଚାରୀ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ବୁଧବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ହେଲେ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଗୁରୁବାର ସକାଳେ ସେ ଜୋରରେ ପାଟି କରିବାରୁ ତାଙ୍କ ଗୃହ ସହାୟକ କବାଟ ଭାଙ୍ଗି ତାଙ୍କ ରୁମକୁ ଯାଇଥିଲେ। ଭିତରକୁ ଯିବା ପରେ ସେ ଅଚେତ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ। ଶବ ବ୍ୟବଚ୍ଛେଦ ପରେ ଆମୀର ଲିୟାକତଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ହୃୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Also Read  Shahbaz Sharif To Be Elected As Next Pakistan Prime Minister